SI Exam: ଜେଲରୁ ବାହାରିଲେ ୧୧୪ ଏସଆଇ ଆଶାୟୀ
ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିବା ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଭିଜିଲାନ୍ସ କୋର୍ଟ। ଜାମିନ ପାଇଥିବା ଛାତ୍ରଛାତ୍ରୀ ଆଜି ଜେଲରୁ ମୁକୁଳିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କୋର୍ଟରେ କେସ୍ ଡାଏରୀ ତଥା ସିଡି ଦାଖଲ କରିଥିଲେ । କିନ୍ତୁ କୋର୍ଟରେ ବିଚାରଣା ସମୟରେ ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କ ବିରୋଧରେ ଆବଶ୍ୟକୀୟ ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିପାରିନଥିଲା । ଯେଉଁ କାରଣରୁ କୋର୍ଟ ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ପ୍ରତି ଛାତ୍ରଛାତ୍ରୀ ୫୦ ହଜାର ଟଙ୍କା ସହ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜାମିନ ପ୍ରଦାନ କରାଯାଇଛି। ସର୍ତ୍ତଗୁଡ଼ିକ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ମାନେ ମାମଲାରେ ସମ୍ପୃକ୍ତ ଥିବା କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଟିମ ଯେଉଁ ସମୟରେ ତଦନ୍ତ ପାଇଁ ଡାକିବେ, ସେହି ସମୟରେ ସେମାନେ ଉପସ୍ଥିତ ରହିବେ । ଏହାସହ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ସର୍ତ୍ତ ରହିଛି । କୋର୍ଟଙ୍କ ଏହି ସର୍ତ୍ତାବଳିରେ ରାଜି ହୋଇଥିଲେ ସମସ୍ତ ଗିରଫ ଆଶାୟୀ ଛାତ୍ରଛାତ୍ରୀ । ତେଣୁ କୋର୍ଟ ସମସ୍ତ ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଜାମିନ ଦେଇଥିବା ବେଳେ ସର୍ତ୍ତ ପାଳନ କରି ବ୍ରହ୍ମପୁର ଜେଲରୁ ଆଜି ବାହାରିଛନ୍ତି ଛାତ୍ରଛାତ୍ରୀ ମାନେ ।












Click it and Unblock the Notifications