ଶୁଭମିତ୍ରା ହତ୍ୟା ଘଟଣା: ଚାଟିଂରେ ବିସ୍ଫୋରକ ତଥ୍ୟ, କିଏ ଲୁଚାଉଛି...
ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ପ୍ରଥମେ କଥା ଉଠିଲା ଟଙ୍କା ପାଇଁ ହତ୍ୟା । ଏବେ କିନ୍ତୁ ମୋଡ଼ ତ୍ରିକୋଣୀୟ ପ୍ରେମ ଆଡ଼କୁ ଯାଇଛି ।
ଏଥିରେ ସନ୍ଦେହ ଘେରକୁ ଆସିଛନ୍ତି ଡିସିପିଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ ବିବାହିତ ମହିଳା କନଷ୍ଟେବଲ । ଉକ୍ତ କନଷ୍ଟେବଲଙ୍କ ପାଇଁ ଶୁଭମିତ୍ରା ଓ ଦୀପକଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡ଼ା ଲାଗିଥିବା ପୁଲିସ୍ ଜାଣିବାକୁ ପାଇଛି । ତଦନ୍ତର ଦିଗ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରୁ ଡିସିପିଙ୍କ ଦପ୍ତର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ସୂଚନା ମୁତାବକ, ୨୦୧୮ ଏପ୍ରିଲ ୨୫ରେ ଅପର୍ଣ୍ଣାଙ୍କ ସହ ଦୀପକଙ୍କ ବିବାହ ହୋଇଥିଲା । କିନ୍ତୁ ବିବାହର ୨ମାସ ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ବୋଲି ଭଉଣୀ ରୋଜାଲିନ ରାଉତ କ୍ୟାପିଟାଲ୍ ଥାନା ପୁଲିସ୍କୁ ଜଣାଇଥିଲେ । ଦୀପକଙ୍କ ମା' ଓ ତାଙ୍କ ଧରମଭଉଣୀ ତଥା କମିଶନ୍ରେଟ୍ ପୁଲିସ୍ରେ କାର୍ଯ୍ୟରତ ସଂପୃକ୍ତ ମହିଳା କନଷ୍ଟେବଲ ବିଭିନ୍ନ ସମୟରେ ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ରୋଜାଲିନ୍ ଖୁଣ୍ଟୁଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ରୋଜାଲିନ କହିଛନ୍ତି, ବିଭିନ୍ନ ସମୟରେ ଉକ୍ତ ମହିଳା କନଷ୍ଟେବଲଙ୍କ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗୁଥିଲା । ଅପର୍ଣ୍ଣା ଦୂରରେ ଚାକିରି କରୁଥିବାରୁ ଦୀପକ ଧରମ ଉଉଣୀଙ୍କ ନିକଟତର ହେଉଥିବା ଜଣାପଡ଼ିଥିଲା । ଦୀପକଙ୍କୁ ଏ ବିଷୟରେ ଅପର୍ଣ୍ଣା ପଚାରିଲେ ସେ ଧରମ ଭଉଣୀ ବୋଲି କହି କଥାକୁ ଏଡ଼ାଇ ଦେଉଥିଲେ ।
ମୃତ୍ୟୁ ପୂର୍ବରୁ ...
ଦୁର୍ଘଟଣାର ୧୫ ମିନିଟ୍ ପୂର୍ବରୁ ଅପର୍ଣ୍ଣା ସାନଭଉଣୀ ରୋଜାଲିନଙ୍କ ସହ ଫୋନ୍ରେ କଥା ହୋଇଥିଲେ । ରାସ୍ତାରେ କାର୍ ଖରାପ ହୋଇଥିବାରୁ ସେ ଛିଡ଼ା ହୋଇଛନ୍ତି ବୋଲି କହିଥିଲେ । ଏହାପରେ ହଠାତ୍ ତାଙ୍କର ଦୁର୍ଘଟଣା ହେଇଥିବା ଦୀପକ କହିଥିଲା । ଦୁର୍ଘଟଣାସ୍ଥଳରେ ଅପର୍ଣ୍ଣାଙ୍କ ପରିବାର ଲୋକେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ କେହି କିଛି କହି ପାରିନଥିଲେ । ଅନ୍ୟପକ୍ଷରେ ଦୀପକଙ୍କ କହିବା କଥା ଥିଲା, କାର୍ ଖରାପ ହେବା ପରେ ସେ ଟାୟାର୍ ବଦଳାଉଥିଲେ ଏବଂ ଅପର୍ଣ୍ଣା ମୋବାଇଲ୍ ଲାଇଟ୍ ଦେଖାଉଥିଲେ । ହଠାତ୍ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀପକ ଦ୍ୱିତୀୟ ବିବାହ କରିଛି ବୋଲି ମୃତ ଅପର୍ଣ୍ଣାଙ୍କ ପରିବାର ମଧ୍ୟ ଜାଣିନଥିଲେ । ଏବେ କନ୍ଷ୍ଟେବଲ ଶୁଭମିତ୍ରା ହତ୍ୟା ଘଟଣାରେ ଦୀପକ ଗିରଫ ହେବା ପରେ ଦ୍ୱିତୀୟ ବିବାହ କଥା ଆମେ ଜାଣିଲୁ ବୋଲି ରୋଜାଲିନ କହିଛନ୍ତି । ଦ୍ୱିତୀୟ ବିବାହ କରିବା ପରେ ମଧ୍ୟ ଦୀପକ ରୋଜାଲିନଙ୍କ ଘରକୁ ଯାଉଥିଲା ।
ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଫାଇଲ୍ ପୁଣି ଥରେ ଖୋଲିବ । ମୃତ ଅପର୍ଣ୍ଣାଙ୍କ ସାନଭଉଣୀ ରୋଜାଲିନ ଖୁଣ୍ଟୁଣୀ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପୁଲିସ୍ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ପୁଲିସ୍ ଦୀପକକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ଏ ସମ୍ପର୍କରେ ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ କହିଛନ୍ତି, ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟଣାରେ ପୂର୍ବରୁ ଅପମୃତ୍ୟୁ ମାମଲା ହୋଇଥିଲା । ଆଜି ମୃତକଙ୍କ ଭଉଣୀଙ୍କ ଏତଲା ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇଛି । ଖୁଣ୍ଟୁଣୀ ଥାନା କେସ୍ ନମ୍ବର ୧୯୪/୨୦୨୫ ରୁଜୁ କରିଛି । ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।
ଅପର୍ଣ୍ଣାଙ୍କ ଗର୍ଭ ନଷ୍ଟ କରିଥିଲା ଦୀପକ!
ଅପର୍ଣ୍ଣା ଢେଙ୍କାନାଳ ତହସିଲରେ ଚାକିରି କରିଥିବାବେଳେ ଦୀପକ ତାଙ୍କ ନାମରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଲୋନ୍ କରିଥିଲା । ଏହି ଟଙ୍କାରେ ମାଛଚାଷ କରିବା ସହ ନିଜ ଭାଇର ବ୍ୟବସାୟରେ ଲଗାଇଥିଲା । ଲୋନ୍ ନେବାର କିଛି ଦିନ ପରେ ଗର୍ଭବତୀ ହୋଇଥିଲେ ଅପର୍ଣ୍ଣା । ହେଲେ ଦୀପକ୍ ସବୁବେଳେ ଅପର୍ଣ୍ଣାଙ୍କୁ ଗର୍ଭନଷ୍ଟ କରିବା ପାଇଁ କହୁଥିଲା । ଦୀପକ୍ କହୁଥିଲା ଏବେ ପରିଶ୍ରମ କରି ଟଙ୍କା ରୋଜଗାର କରିବା ବେଳେ ଯଦି ପିଲା ଜନ୍ମ ଦେବ ତା'ହେଲେ କ୍ୟାରିୟର ନଷ୍ଟ ହୋଇଯିବ । ଅପର୍ଣ୍ଣାଙ୍କ ୩ ମାସରେ ପ୍ରଥମ ଗର୍ଭ ନଷ୍ଟ ହୋଇଥିଲା । ସେତେବେଳେ ଅପର୍ଣ୍ଣା ତାଙ୍କ ସ୍ୱାମୀଙ୍କୁ ଦାୟୀ କରିଥିଲେ ବୋଲି ତାଙ୍କ ଭଉଣୀ ରୋଜାଲିନ କରିଛନ୍ତି ।

ପୁଲିସ୍ ଶୁଭମିତ୍ରାଙ୍କ ଫୋନ୍ରୁ କିଛି ବିସ୍ଫୋରକ ତଥ୍ୟ ପାଇଛି । ୨୦୨୪ରେ ଦୁଇ ଜଣ ବିମାନରେ ଋଷିକେଶ ଯାଇଥିଲେ । ସେଠାରେ ମହିଳା କନଷ୍ଟେବଲଙ୍କ ସହ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଶୁଭମିତ୍ରା ମନରେ ସନ୍ଦେହ ହୋଇଥିଲା । ଏ ବିଷୟରେ ଶୁଭମିତ୍ରା ତାଙ୍କ ଭଉଣୀ ଓ ସାଙ୍ଗକୁ କହିଥିଲେ । ଶୁଭମିତ୍ରାଙ୍କୁ ହତ୍ୟା କରିବାର ଦୁଇ ଦିନ ପୂର୍ବରୁ ଉକ୍ତ ମହିଳା କନଷ୍ଟେବଲଙ୍କ ସହ ଦୀପକର କ'ଣ ସମ୍ପର୍କ ରହିଛି ସେ ବିଷୟରେ ଉଭୟଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଚାଲିଥିଲା । ଯାହା ପୁଲିସ୍ ହାତରେ ଲାଗିଥିଲା । ଶୁଭମିତ୍ରାଙ୍କ ହତ୍ୟା ପଛରେ ଖାଲି ଟଙ୍କା ନୁହେଁ ତ୍ରିକୋଣୀୟ ପ୍ରେମ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି ।ହେଲେ କମିଶରେଟ୍ ପୁଲିସ୍ ନିଜକୁ ସୁରକ୍ଷା ଦେବା ପାଇଁ ଉକ୍ତ ମହିଳା କନଷ୍ଟେବଲ (ଧରମ ଭଉଣୀ)ଙ୍କୁ ତଦନ୍ତଭୁକ୍ତ କରିବ ନା ଛାଡ଼ି ଦେବ ତାହା ଦେଖିବାକୁ ବାକି ରହିଛି।
ପ୍ରମାଣ ଯୋଗାଡ଼ ପୁଲିସ୍ ପାଇଁ ଚ୍ୟାଲେଞ୍ଜ୍
ଦୀପକ୍ ହତ୍ୟା କରି ମୃତଦେହ ଗାଡ଼ିରେ ରଖିଥିଲା । ଶୁଭମିତ୍ରାଙ୍କ ମା'ଙ୍କ ପକ୍ଷରୁ ନିଖୋଜ ଅଭିଯୋଗ ପରେ ଦୀପକ୍ କିଛି ନ ଜାଣିଲା ଭଳି ହେଉଥିଲା । ଛଳନା କରି ନିଜେ ଖୋଜୁଥିଲା । ୮ ଦିନ ଧରି ୫୦ରୁ ଅଧିକ ପୁଲିସ୍ କର୍ମଚାରୀଙ୍କୁ ନାକେଦମ୍ କରିଥିଲା । ଦୀପକ୍ ଗୋଟିଏ ପରେ ଗୋଟିଏ ପ୍ରମାଣ ନଷ୍ଟ କରି ଚାଲିଥିଲା । ଫଳରେ ତାକୁ ଧରିବାକୁ କ୍ୟାପିଟାଲ ଥାନା ପୁଲିସ୍କୁ ଏତେ ଦିନ ଲାଗିଲା ।












Click it and Unblock the Notifications