ଏହି ଦୁଇଦିନ ରାତି ୩ ଟାରୁ ଖୋଲିବ ଶ୍ରୀମନ୍ଦିର: ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି
ଆସନ୍ତା ୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣିମା ନୀତି। ଏଥିପାଇଁ ଆଜି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ଆସନ୍ତା ମେଣ୍ଢା ପୋଡ଼ି, ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ଆସନ୍ତା ୧୩ ଓ ୧୪ ତାରିଖ ମେଣ୍ଢା ପୋଡ଼ି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୋହର ମାରିଛି ଛତିଶା ନିଯୋଗ।

୧୩ ଓ ୧୪ ତାରିଖ ରାତି ୩ ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟି ଅନ୍ୟାନ୍ୟ ନୀତି କାନ୍ତି ହେବ। ସେହିପରି ୧୪ ତାରିଖ ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀ ଉପରେ ସ୍ଵତନ୍ତ୍ର ନୀତି କାନ୍ତି ହେବ। ଠିକ୍ ସମୟରେ ନୀତି ସଂପାଦନ ସହ ଭକ୍ତ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଅନ୍ୟପଟେ ଆସନ୍ତା ଗ୍ରୀଷ୍ମପ୍ରବାହ ଓ ଖରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହେବ। ସେପଟେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଓମଫେଡ ଘିଅ ଟିଣରେ ଥିବା ମହାପ୍ରଭୁଙ୍କ ଫଟୋ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ। ତୁରନ୍ତ ସେଥିରୁ ମହାପ୍ରଭୁଙ୍କ ଫଟୋ ହଟାଇବା ପାଇଁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର।
ଏନେଇ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ତେବେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ପୁରୀ ଏସପି ବିନୀତ ଅଗ୍ରୱାଲ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ଛତିଶା ନିଯୋଗର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।












Click it and Unblock the Notifications