ପୋଢୁଆଁ ହେବେ ଶ୍ରୀଜିଉ, ମାମୁଁ ଘର ପଠା ଗଲା ପ୍ରଥମାଷ୍ଟମୀ ଭାର
ରାତି ପାହିଲେ ପ୍ରଥମାଷ୍ଟମୀ । ପୋଢୁଆଁ ହେବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର ମାଧବାନନ୍ଦଜୀଉ ପୀଠରୁ ଶ୍ରୀଜିଉଙ୍କ ପାଇଁ ପଠାଯାଇଛି ପୋଢୁଆଁ ଭାର । ନୂଆ ବସ୍ତ୍ରଠୁ ନେଇ ଫଳମୂଳ ଆଦି ମାମୁଁ ଘରୁ ଶ୍ରୀମନ୍ଦିରକୁ ପଠାଯାଇଛି ।
ବିଶ୍ବନିୟନ୍ତାଙ୍କ ପାଇଁ ପୋଢୁଆଁ ଭାର:
ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର ମାଧବ ସ୍ଥିତ ମାଧବାନନ୍ଦଜୀଉଙ୍କ ପୀଠ । ପ୍ରଥମାଷ୍ଟମୀରେ ମାମୁଁ ଘରୁ ନୂଆ ବସ୍ତ୍ର, ପିଠାମିଠା ଆସିବାର ଓଡ଼ିଆ ପରମ୍ପରା ରହିଛି । ସେଥିରୁ ବାଦ୍ କେମିତିବା ପଡିବେ ମଣିମା । କୋଟି ଓଡ଼ିଆର ମଉଡମଣିଙ୍କ ପାଇଁ ମାମୁଁ ଘର ମାଧବାନନ୍ଦଜୀଉଙ୍କ ପୀଠରୁ ପୋଢୁଆଁ ଭାର ପଠା ଯାଇଛି । ପ୍ରତିବର୍ଷ ଅଷ୍ଟମୀ ପୂର୍ବଦିନ ପୋଢୁଆଁ ଭାର ପଠାଯାଏ ଶ୍ରୀମନ୍ଦିରକୁ । ମଝିରେ କୌଣସି କାରଣ ନେଇ କିଛି ବର୍ଷ ଏହି ପରମ୍ପରା ବନ୍ଦ ରହିଥିବା ବେଳେ ପୁଣି ମାଧବାନନ୍ଦ ଜିୟୁ ବିକାଶ ପରିଷଦ ପକ୍ଷରୁ ଏହି ପରମ୍ପରାକୁ ପୁନରୁଦ୍ଧାର କରାଯାଇଛି ।

ପୋଢୁଆଁ ଭାରରେ କଣ କଣ ରହିଛି ?
ଆବାହମାନ କାଳରୁ ପୋଢୁଆଁ ଭାର ନୀତି ନିୟମ ସହକାରେ କରାଯାଉଥିବା ବେଳେ ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଦର ଓ ପ୍ରସାର ପଚାର ବୃଦ୍ଧି ପାଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫଳ ମୂଳ, ତୁଳସୀ, ଫୁଲ, ଚନ୍ଦନ, ଅଗୁର ଆଦି ଭାରରେ ଯାଇଥାଏ । ଅଷ୍ଟମୀ ପୂର୍ବ ଦିନଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ପଠାଯାଇଥାଏ ।
ପ୍ରଥମାଷ୍ଟମୀ ଓଡ଼ିଆଙ୍କ ଆବେଗ:
ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପ୍ରଥମାଷ୍ଟମୀ । ଏହି ଦିନ ଘରର ଜ୍ୟେଷ୍ଠ ପୁଅ ଓ ଝିଅମାନେ ନବ ବସ୍ତ୍ର ପରିଧାନ କରୁଥିବା ବେଳେ ପିଠାପଣା, ଭୋଗରାଗରେ ଘରେ ଘରେ କରାଯାଇଥାଏ । ଘରର ଜ୍ୟେଷ୍ଠ ସନ୍ତାନ ମାନଙ୍କ ପାଇଁ ନବ ବସ୍ତ୍ର ସାଧାରଣତଃ ମାମୁଁ ଘରୁ ଆସିଥାଏ । ସେହିପରି ଦେବାଦେବୀଙ୍କ କ୍ଷେତ୍ରରେ ଏହା ପ୍ରଚଳିତ ହୋଇଥାଏ । ଏଥି ଲାଗି ଶ୍ରୀଜିଉଙ୍କ ଲାଗି ମାଧବାନନ୍ଦ ଜିୟୁଙ୍କ ପୀଠରୁ ପୋଢୁଆଁ ଭାର ପଠାଯାଏ ।
କାଲି ପୋଢୁଆଁ ହେବେ ଶ୍ରୀଜିଉ:
ଆସନ୍ତା ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ନିଆଳିର ପ୍ରଭୁ ମାଧବାନନ୍ଦଜୀଉ ହେଉଛନ୍ତି ମହାପ୍ରଭୁଙ୍କ ମାମୁଁ ଘର । ପୂର୍ବରୁ ପ୍ରଭୁ ମାଧବାନନ୍ଦଙ୍କ ମନ୍ଦିରରେ ଅନେକ ଭୂ-ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦିଆଯାଇଥିଲା । ସେହି ଜମି ଉତ୍ପାଦିତ ସାମଗ୍ରୀ ଅଣାଯାଇ ଶ୍ରୀମନ୍ଦିରରେ ପଢ଼ୁଆଁ ଭାର ରୂପେ ଦିଆଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା କୌଣସି କାରଣରୁ ପାଳନ ହୋଇ ପାରିନଥିଲା । ପରେ ନିଆଳି ବାସିନ୍ଦା ଓ ମାଧବ ବିକାଶ ପରିଷଦ ପକ୍ଷରୁ ଏକତ୍ର ନିଷ୍ପତ୍ତି ନେଇ ଗତ ସାତ ବର୍ଷ ହେବ ମହାପ୍ରଭୁଙ୍କ ପାଇଁ ପଢୁଆଁ ଭାର ଆଣି ଶ୍ରୀମନ୍ଦିରରେ ଦେଉଛନ୍ତି ।
ମହାପ୍ରଭୁଙ୍କ ପାଇଁ ମାଧବଜୀଉ ପୀଠରୁ ଗଲା ପୋଢୁଆଁ ଭାର, ଖୁସି ଗାଁଲୋକେ:
ଏନେଇ ମାଧବାନନ୍ଦ ଜୀୟୁ ମନ୍ଦିର ମୁଖ୍ୟ ପୂଜକ ତ୍ରିଲୋଚନ ପୁଷ୍ପାଳକ କହିଛନ୍ତି, 'ପୋଢୁଆଁ ଯାତ୍ରାରେ ସ୍ଥାନୀୟ ଅଞ୍ଚଳବାସୀ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ପାଇଁ ମାମୁଁଘରୁ ପୋଢୁଆଁ ଭାର ପଠାଯାଇଛି ।'












Click it and Unblock the Notifications