ଶ୍ରୀମନ୍ଦିରରେ ବନ୍ଦ ରହିଛି ମହାପ୍ରଭୁଙ୍କ ନୀତିକାନ୍ତି: ଆଜି ଶ୍ରୀଜୀଉଙ୍କ ଠାରେ ଲାଗି କରାଯିବ ସପ୍ତପୁରୀ ଭୋଗ
ଶ୍ରୀମନ୍ଦିରରେ ବନ୍ଦ ରହିଛି ମହାପ୍ରଭୁଙ୍କ ନୀତିକାନ୍ତି । ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ବିବାଦ ଦେଖିବାକୁ ମିଳିଛି । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁଁ ଆଗକୁ ନୀତିକାନ୍ତି ବଢୁନି । ମଙ୍ଗଳ ଆଳତୀ ପରେ ଆଗକୁ ନୀତିକାନ୍ତି ବଢ଼ିପାରୁନି ।
ସେପଟେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ହେବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେବାୟତଙ୍କ ଏପରି କାର୍ଯ୍ୟକୁ ଭକ୍ତମାନେ କଡ଼ା ବିରୋଧ କରିଛନ୍ତି ।
ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ହେଲେ କିଛି ହୋଇପାରୁନାହିଁ । ବିଭିନ୍ନ ନିଯୋଗଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା ଜାରି ରହିଛି ।
ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି କରାଯିବ । ବିଶ୍ୱାସ ରହିଛି ଆଜିର ସପ୍ତପୁରୀ ଭୋଗ ନିଜେ ମା ଦକ୍ଷିଣକାଳୀ ପ୍ରସ୍ତୁତ କରିଥାନ୍ତି ।
ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ବେଶ କରାଯିବ। ପରେ ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସି ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଷୋଡଶ ଉପଚାରରେ ପୂଜା କରାଯିବ ।

ଗତକାଲି ଅଠର ନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଚତୁର୍ପାଶ୍ୱ ପରିକ୍ରମା ପରେ ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ ।












Click it and Unblock the Notifications