ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ
ପୁରୀ: ଆସନ୍ତା ଜାନୁଆରୀ ୧୭ରେ ଶ୍ରୀକ୍ଷେତ୍ର ପୁରୀରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୃତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧି ବିଧାନ ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରାଯିବ ।
ପରେ ଭାରତବର୍ଷର ୪ ଧାମ, ୧୨ ଜ୍ୟୋତିର୍ଲିଙ୍ଗ, ଭାରତ ବର୍ଷର ବିଭିନ୍ନ ଶୈବପୀଠ, ଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତ ମାନେ ଯାତ୍ରା କରିବେ । ଆଗାମୀ ୨୬ ତାରିଖରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହେବ ଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯାତ୍ରାର ଶୁଭାରମ୍ଭ କରିବେ ।

ଆଜିଠୁ ନିମନ୍ତ୍ରଣ ପତ୍ର ବଣ୍ଟନ ହେବ । ନିମନ୍ତ୍ରଣ ପତ୍ର ସହ ଏକ ସ୍ୱତନ୍ତ୍ର କିଟ୍ ମଧ୍ୟ ପ୍ରଦାନ କରାଯିବ । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ତିନୋଟି ଭାଷାରେ ରହିବ । ଏଥିରେ ପରିକ୍ରମା ପ୍ରକଳ୍ପକୁ ତଥ୍ୟ ରହିବ । ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଏହି ନିମନ୍ତ୍ରଣ ପତ୍ର ପଠାଯିବ । ଏଥିପାଇଁ ଜିଲ୍ଲାୱାରି ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୭୪୬ଟି ଜଗନ୍ନାଥ ମନ୍ଦିର, ୧୧୧ ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବ ।
ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚରଣରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଅର୍ପଣ କରାଯିବା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ଐତିହ୍ୟ ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ସ୍ଥାନକୁ ଏକତ୍ରୀକରଣ ଯୋଜନା ଏବଂ ଏହାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଆଲୋଚନା କରାଯାଇଥିଲା ।












Click it and Unblock the Notifications