ଆଜିଠୁ ରାଜ୍ୟରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ: ପ୍ରତି ଘରୁ ସଂଗ୍ରହ ହେବ ଗୁଆ, ଚାଉଳ
ଆଜିଠୁ ରାଜ୍ୟରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ରାଜ୍ୟର ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଅରୁଆ ଚାଉଳ, ଗୁଆ ଓ ନଡିଆ ସଂଗ୍ରହ କରାଯିବ । ଏନେଇ ଶ୍ରୀକ୍ଷେତ୍ର ସମେତ ଉତ୍ସବ ମୁଖର ସାରା ରାଜ୍ୟ ।
ଆସନ୍ତା ଜାନୁଆରୀ ୧୭ରେ ଉଦ୍ଦଘାଟନ ହେବ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ଉଦ୍ଦଘାଟନୀ ଉତ୍ସବକୁ ସୁରୁଖୁରୁରେ ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ତେବେ ଏନେଇ ଆଜିଠୁ ୧୭ ତାରିଖ ଯାଏଁ ଗାଁରୁ ସହର ବୁଲିବ 'ଜଗନ୍ନାଥ ରଥ' ।
ଆଜି ପ୍ରଥମ ଦିନରେ ପୁରୀ ସହରର ସଦର ବ୍ଲକ, ୨୫ ନମ୍ବର ଜୋନରେ ତଲଜଂଘ ଓ ମାଳତୀପାଟପୁର, ୨୬ ନମ୍ବର ଜୋନରେ ଗୋପୀନାଥପୁର ଓ କାଶୀ ହରିପୁର, ୨୭ ନମ୍ବର ଜୋନରେ ବାଲିପୁଟ ଓ ରାଏଗୋରଡା ପଂଚାୟତରେ ରଥ ପରିକ୍ରମା କରିବ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟର ସବୁ ପଞ୍ଚାୟତର ଲୋକଙ୍କୁ ସାମିଲ କରିବାକୁ କ୍ୟାବିନେଟରେ ନିଷ୍ପତି ହୋଇଛି । ଆଉ ଏହା ପରେ ଜୋରଦାର ପ୍ରସ୍ତୁତି ଚାଲିଛି ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଉଦ୍ଦଘାଟନୀ ଉତ୍ସବ ଅବସରରେ ସବୁ ଲୋକେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ବୁଲି ଏହି ଜଗନ୍ନାଥ ରଥ ସବୁ ଲୋକଙ୍କଠାରୁ ଗୁଆ ଓ ଚାଉଳ ଗ୍ରହଣ କରିବ । ଏହାପରେ ଏହି ଗୁଆ ଓ ଚାଉଳକୁ ମହାପ୍ରଭୁଙ୍କୁ ସମର୍ପଣ କରାଯିବ ।
୧୪୭ ନିର୍ବାଚନୀ ମଣ୍ଡଳୀରୁ ୬ ଲକ୍ଷରୁ ଅଧିକ ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ । ପ୍ରତିଦିନ ୨୦ ହଜାର ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୨ ତାରିଖରୁ ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ଆରମ୍ଭ ହେବେ । ଏହାପରେ ୧୫ରୁ ଶ୍ରୀମନ୍ଦିର ଚାରି ଦ୍ବାରରେ ବେଦ ପାରାୟଣ ଓ ସଂକୀର୍ତ୍ତନ ଆରମ୍ଭ ହେବ । ପରେ ୧୭ରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଓ ଯଜ୍ଞ ପୂର୍ଣ୍ଣାହୂତି ହେବ ।
ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ । ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପରେ ବେଶ ଉପକୃତ ହେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ।
ଏହି ଉତ୍ସବରେ ଯୋଗ ଦେବା ଲାଗି ଦେଶର ୬୦ଟି ସ୍ଥାନରୁ ଆସିବେ ନିମନ୍ତ୍ରିତ ଅତିଥି । ଏହାଛଡ଼ା ରାଜ୍ୟ ଭିତର ୩୦ ଜିଲ୍ଲାର ପ୍ରସିଦ୍ଧ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ନବକଳେବର ବେଳେ ଦାରୁ ମିଳିଥିବା ସ୍ଥାନରୁ ଅତିଥିମାନେ ଯୋଗଦେବେ । ଏନେଇ ପ୍ରତି ସ୍ଥାନରୁ ୨ ଜଣ ଲେଖାଏଁ ଆସିବାକୁ ନିମନ୍ତ୍ରଣ ଦିଆଯାଇଛି ।
ପିଇଓ ଏବଂ ଜିଆରଏସ୍ମାନେ ପଞ୍ଚାୟତରେ ନୋଡାଲ ଅଫିସର ଭାବେ କାମ କରିବେ । ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।












Click it and Unblock the Notifications