Shree Mandir: ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ୍ , କାହିଁକି ଜାଣନ୍ତୁ ?
ସର୍ବୋଚ୍ଚ ନ୍ୟାୟାଳୟ ୫ବର୍ଷ ପୂର୍ବେ ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ୍ ଚେୟାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ହୋଇପାରିଲାନି। ଏହାକୁ ନେଇ ରୁଜୁ ମାମଲାର ଶୁଣାଣି କରି ବୁଧବାର ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି।

ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୨କୁ ଧାର୍ଯ୍ୟ କରିଛନ୍ତି। ଶ୍ରୀମନ୍ଦିରକୁ ଭିନ୍ନକ୍ଷମଙ୍କ ଯାତାୟାତରେ ସମସ୍ୟା ରହି ଆସୁଥିବାରୁ ଏନେଇ ସୁପ୍ରିମ୍କୋର୍ଟରେ ଆବେଦନକାରିଣୀ ଏକ ମାମଲା ଦାୟର କରିଥିଲେ। ସୁପ୍ରିମ୍କୋର୍ଟ ୨୦୧୯ ନଭେମ୍ବର ୪ରେ ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।
ଏହି ନିର୍ଦେଶନାମାକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି ଆବେଦନକାରିଣୀ ମୃଣାଳିନୀ ପାଢ଼ୀ ଉଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଦାଲତ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ଆବେଦନକାରିଣୀ ମୃଣାଳିନୀ ପାଢ଼ୀ ନିଜେ ମାମଲା ପରିଚାଳନା କରୁଛନ୍ତି ।












Click it and Unblock the Notifications