ମହାପ୍ରଭୁଙ୍କ ପଦ୍ମବେଶ: ପଦ୍ମବେଶରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ
ପୁରୀ: ମହାପ୍ରଭୁଙ୍କ ପଦ୍ମବେଶ । ଆଜି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ଶନିବାର ବଡ଼ସିଂହାର ବେଶରେ ବିଭୂଷିତ ହୋଇଥିଲେ ମହାପ୍ରଭୁ । ରବିବାର ଅବକାଶ ପର୍ଯ୍ୟନ୍ତ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ ।
କିମ୍ବଦନ୍ତୀ ଅନୁସାରେ ସାଧୁ ମନୋହର ଦାସ ବହୁ ଦୂରରୁ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । କ୍ଳାନ୍ତ ହୋଇ ତୃଷାର୍ତ୍ତ ଅବସ୍ଥାରେ ପୋଖରୀ ନିକଟରେ ଅଟକିଲେ । ପୁଷ୍କରିଣୀରେ ପଦ୍ମଫୁଲ ଫୁଟିଥିବା ଦେଖି ଏସବୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ ହୋଇଥିବା ଭାବି ସେ ପଦ୍ମଫୁଲ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୋଳିନେଲେ । ମାଘ ମାସ ଅମାବାସ୍ୟା ଦିନ ଶ୍ରୀମନ୍ଦିରରେ ପହଞ୍ଚି ଫୁଲଗୁଡ଼ିକୁ ମହାପ୍ରଭୁଙ୍କୁ ଲାଗି କରିବାକୁ ସେବକଙ୍କୁ ଅନୁରୋଧ କଲେ । କିନ୍ତୁ ମଇଳା ଗାମୁଛାରେ ବନ୍ଧା ଫୁଲମାନ ଶୁଖିଯାଇଥିବାରୁ ସେସବୁ ମହାପ୍ରଭୁଙ୍କୁ ଲାଗି କରିବାକୁ ସେବକମାନେ ମନା କରିଦେଲେ । ସାଧୁ ଜଣକ ଫେରି ଆସି ବଡ଼ଛତା ମଠ ନିକଟରେ ମୂର୍ଚ୍ଛା ଗଲେ । ସେଦିନ ରାତିରେ ମହାପ୍ରଭୁ ଗଜପତିଙ୍କୁ ସ୍ବପ୍ନରେ ସାଧୁ ଆଣିଥିବା ପଦ୍ମ ଫୁଲ ଲାଗି କରିବାକୁ କହିଲେ । ସେବକମାନେ ଶୁଖିଲା ଫୁଲଗୁଡ଼ିକ ଲାଗି କରିବା ପରେ ସେଗୁଡ଼ିକ ସତେଜ ହୋଇ ସଦ୍ୟ ପ୍ରସ୍ଫୁଟିତ ହୋଇଥିବା ଭଳି ଦୃଶ୍ୟମାନ ହେଲା । ଏହା ଦେଖି ସେବକମାନେ ସାଧୁ ମନୋହରଙ୍କୁ ରତ୍ନ ସିଂହାସନ ନିକଟକୁ ପାଛୋଟି ନେଲେ । ମହାପ୍ରଭୁଙ୍କୁ ପଦ୍ମବେଶରେ ଦେଖି ସାଧୁ ଜଣକ ବିମୋହିତ ହେଲେ । ଖିରି ମହାପ୍ରସାଦ ସେବନ କରି ପ୍ରସ୍ଥାନ କରିଥିଲେ ।

ଏହି ବେଶରେ ବଡ଼ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଖିରି ଭୋଗ ଲାଗି ହେବ । ଭକ୍ତ ମନୋହର ଦାଶର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ପଦ୍ମ ବେଶ କରାଯାଇଥାଏ । ଶୋଲ, ଜରି, ଜମ୍ବୁରା, ପ୍ରାକୃତିକ ରଙ୍ଗରେ ବେଶ ନିର୍ମାଣ କରାଯାଇଛି । ପଣ୍ଡୁ ପୂର୍ଣମୀ ଠାରୁ ଏହି ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କଦଳୀ ପାଟୁକାରେ କଦମ୍ବ ଫୁଲ, ହଂସ, ପଦ୍ମ ଆଦି ବିଭିନ୍ନ ପାରମ୍ପରିକ ବେଶ ନିର୍ମାଣ କରାଯାଇ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯିବ । ଏହି ବେଶରେ ମହାପ୍ରଭୁଙ୍କୁ 80ଟି ପଦ୍ମ, ଏକପଣ ଡାଳି, 3ଟି ଶ୍ରୀମୁଖ ପଦ୍ମ, 7 ଟି ସିଂହାସନ ଗଛ, 4ଟି ଶ୍ରୀମୁଖ ପଦ୍ମ କଢ, 20ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, 4 ଟି ମଗର କୁଣ୍ଡଳ ଓ 4ଟି ହଂସ ଲାଗି ହେବ ।












Click it and Unblock the Notifications