Shree Mandir: ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କଲେ ମହାପ୍ରଭୁ
ମହାପ୍ରଭୁ ଭାଇଭଉଣୀଙ୍କ ସହିତ ଅବସ୍ଥାନ କରି ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି। ଏହି କ୍ରମରେ ଖରାଦିନେ ଗ୍ରୀଷ୍ମତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଚନ୍ଦନ ଯାତ୍ରା କରିଥାନ୍ତି। ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସହ ମିଶି ଜଳକ୍ରୀଡ଼ା କରନ୍ତି। ସେହିପରି ଶୀତଦିନେ ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ସାଧାରଣ ମଣିଷଟିଏ ଭଳି ଶୀତବସ୍ତ୍ର ପରିଧାନ କରିଥାନ୍ତି । ମାର୍ଗଶୀର ମାସରେ ଅଧିକ ଶୀତ ହୋଇଥାଏ। ତେଣୁ ଶୀତରୁ ରକ୍ଷା ପାଇବା ପାଇଁ ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ଶୀତବସ୍ତ୍ର ପରିଧାନ କରିଥାନ୍ତି। ଏହାକୁ ଶ୍ରୀମନ୍ଦିର ଭାଷାରେ ଘୋଡ଼ଲାଗି ବୋଲି କୁହାଯାଇଥାଏ।
ଶନିବାର ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ ନୀତି ସମ୍ପନ୍ନ ହୋଇଛି। ଏହି ଅବସରରେ ମହାପ୍ରଭୁଙ୍କ ଘୋଡ଼ଲାଗି କରାଯାଇଛି। ସକାଳ ଧୂପ ବଢିବା ପରେ ଠାକୁରଙ୍କ ମଇଲମ କରାଯାଇଥିଲା। ପୂର୍ବ ରାତିରେ ଭୋଗମଣ୍ଡପ ଘରେ ଅଧିବାସ ହୋଇଥିବା ଘୋଡ଼ଗୁଡ଼ିକୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ତିନିଘେରା ପରିକ୍ରମା କରାଯାଇ ରତ୍ନସିଂହାସନକୁ ନିଆଯାଇଥିଲା। ପୁଷ୍ପାଳକ ସେବକମାନେ ତିନିଠାକୁରଙ୍କୁ ପାଗ ଓ ଘୋଡ଼ ଲାଗି କରିଥିଲେ। ମହାପ୍ରଭୁଙ୍କ ଏହି ଘୋଡ଼ରେ ସୂତାବସ୍ତ୍ର, ଖଣ୍ଡୁଆପାଟ, ଭେଲ୍ଭେଟ କପଡ଼ାର ବସ୍ତ୍ର, ଟୋପର, ମଫଲର ପ୍ରଭୃତି ଲାଗି କରାଯାଇଥିଲା। ଘୋଡ଼ଲାଗି ସରିବା ପରେ ମହାପ୍ରଭୁଙ୍କୁ ୬ ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି କରାଯାଇଥିଲା। ଏହାପରେ ବନ୍ଦାପନା ସରି ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା।

ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ବିଗ୍ରହମାନେ ଘୋଡ଼ ପରିଧାନ କରିଥାନ୍ତି। ସପ୍ତାହର ୭ ଦିନରେ ୭ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି। ରବିବାର ଲାଲ୍, ସୋମବାର କଳାଛିଟା ମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ (୫ ରଙ୍ଗ ମିଶା), ବୁଧବାର ନୀଳ, ଗୁରୁବାର ବସନ୍ତ (ହଳଦିଆ), ଶୁକ୍ରବାର ଶୁକ୍ଳ (ଧଳା) ଓ ଶନିବାର ଚତୁର୍ଦ୍ଧାବିଗ୍ରହ କଳା ରଙ୍ଗର ଘୋଡ଼ଲାଇ ହୋଇଥାନ୍ତି।












Click it and Unblock the Notifications