ଶ୍ରାବଣ ପ୍ରଥମ ସୋମବାରରେ ଅଘଟଣ: ଶୋଇଥିଲା ବେଳେ କାଉଡିଆଙ୍କ ମୃତ୍ୟୁ
ଦେବଗଡ଼: ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି । ଶିବ ମନ୍ଦିରରେ ଜଣେ ବୋଲବମ୍ କାଉଡିଆଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଦେବଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ । ମୃତକ ଜଣକ ହେଲେ ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୁତି ବେହେରା (୪୨) ।
ସୂଚନା ଅନୁଯାୟୀ ବିଭୁତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ୨ଟି ଗାଡିରେ ବାଲିମୀ ଥାନା ନୁଆଁଗାଁର ୫୦ ଜଣିଆ କାଉଡିଆ ଦଳ ଜଳାଭିଷେକ ପାଇଁ ଦେବଗଡ ଝାଡେଶ୍ୱର ମନ୍ଦିରକୁ ଆସିଥିଲେ ।

ସଂଧ୍ୟାରେ ନିକଟସ୍ଥ ବାଳିଆପିଟା ନାଳରୁ ଜଳ ସଂଗ୍ରହ କରି ମନ୍ଦିର ପରିସରରେ ସାଇତି ରଖିଥିଲେ । ରାତି ପ୍ରାୟ ୧୧ଟାରେ ଖାଇ ସାରି ମନ୍ଦିର ମଣ୍ଡପରେ ଶୋଇଥିଲେ । ଆଜି ପ୍ରତ୍ୟୂଷ ପ୍ରାୟ ୩ ଟା ସମୟରେ ସାଥୀ ମାନେ ତାଙ୍କୁ ଜଳାଭିଷେକ ପାଇଁ ଉଠାଇ ଥିଲେ ମଧ୍ୟ ସେ ଆଉ ଉଠିନଥିଲେ । ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଉଲ୍ଲେଖଥାଉ କି, ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ସନ୍ଧ୍ୟାରୁ ରାଜ୍ୟ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି । ମନସ୍କାମନା ପୂରଣ ଲାଗି ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାବେଳେ ଜୁଲାଇ ମାସରେ ଆଜି ଓ ୧୭ ତାରିଖ ଦିନ ଜଳଲାଗି କରାଯିବ । ସେହିପରି ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଓ ୨୮ ତାରିଖ ଦିନ ମଧ୍ୟ ଜଳଲାଗିର ବ୍ୟବସ୍ଥା ରହିଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।












Click it and Unblock the Notifications