ବାହାନଗା ଟ୍ରେନ୍ ଟ୍ରାଜେଡ଼ିକୁ ବିତିଲା୨ ବର୍ଷ, ସେଦିନର କାଳ ରାତି, ଜାଣନ୍ତୁ କେମିତି ଥିଲା ସେହି ଛାତିଥରା ଦୁର୍ଘଟଣା
ବାହାନଗା ଟ୍ରେନ ଟ୍ରାଜେଡିକୁ ଆଜି ୨ ବର୍ଷ ପୂରିଛି। ୨୦୨୩ ମସିହା ଜୁନ ୨ ତାରିଖ ଶୁକ୍ରବାରର ସେହି କାଳ ରାତି ଆଜି ଯାଏଁ ମଧ୍ୟ କାହାରି ମନରୁ ଲିଭି ନାହିଁ। ସେଦିନ ବାଲେଶ୍ଵର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ୍ ନିକଟରେ ଯେଉଁ ଅଘଟଣ ଘଟିଥିଲା, ସେଥିରେ ଗୋଟିଏ ଝଟକାରେ ଚାଲି ଯାଇଥିଲା ୨୯୬ ଲୋକଙ୍କ ଜୀବନ। ଏହାସହ ହଜାରେରୁ ଅଧିକ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ।
କେମିତି ହୋଇଥିଲା ଏହି ଟ୍ରେନ ଟ୍ରାଜେଡି
୨୦୨୩ ଜୁନ ୨ ତାରିଖ ସାନ୍ଧ୍ୟା ୭ଟା ବେଳେ ବାଲେଶ୍ଵର ବାହାନଗା ରେଳ ଷ୍ଟେସନ ନିକଟରେ ହାୱଡ଼ାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଟ୍ରେନଟି ୧୩୦ କିଲୋମିଟରରୁ ଅଧିକ ବେଗରେ ଗତି କରୁଥିବାରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା। କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏଥିରୁ କିଛି ବଗି ପାଖ ରେଳ ଲାଇନରେ ପଡ଼ିଯାଇଥିଲା।
ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ୧୨୮୬୪ ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସର କରମଣ୍ଡଳ ଏକ୍ସପ୍ରେସର ବଗି ସହ ଧକ୍କା ହୋଇଥିଲା। ଏହା ଫଳରେ ଏହି ଟ୍ରେନଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ସମ୍ପୃକ୍ତ ଅଞ୍ଚଳରେ ଏକ ଜୋରଦାର ଶବ୍ଦ ହୋଇଥିଲା। ଏହି ଟ୍ରେନରେ ଯାତ୍ରା କରୁଥିବା ଅନେକ ଲୋକ ବଗି ତଳେ ଚାପି ହୋଇଯାଇଥିଲେ।

ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ ପାଖରେ ଥିବା ଜେନେରାଲ ବଗିଗୁଡ଼ିକର ସବୁଠୁ ଅଧିକ କ୍ଷତି ହୋଇଥିଲା। ଇଞ୍ଜିନ ପାଖ ବଗିର କିଛି ଅଂଶ ମାଟିରେ ଧସି ଯାଇଥିଲା। ଅନ୍ୟପଟେ ଇଞ୍ଜିନଟି ମାଲଗାଡ଼ି ଉପରେ ଚଢ଼ି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ଦୁର୍ଘଟଣା ପରେ ଆଖପାଖ ଅଞ୍ଚଳରେ ଅନେକ ଲୋକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ଦମକଳ କର୍ମୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟକୁ ତ୍ଵରାନିତ କରିଥିଲେ। ତେବେ ଏହି ଟ୍ରେଜେଡିର ଭୟାବହ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା।












Click it and Unblock the Notifications