ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା , ପ୍ରକାଶ ପାଇଲା ବିଜ୍ଞପ୍ତି
ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଏହା ଆଜି ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ (ନ୍ୟାଶନାଲ)ର ମାନ୍ୟତା ପାଇ ନ ଥିଲା। ତେବେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚିଠି ନମ୍ବର ୯୫୦୦/୨୪-୪-୨୦୨୫ରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି।

ଏହାକୁ ଜାତୀୟ ଉଦ୍ୟାନ ର ଘୋଷଣା ପରେ ଏହା ଭାରତର ୧୦୭ ଓ ଓଡିଶାର ୨ ନମ୍ବର ଜାତୀୟ ପାର୍କ ହୋଇଛି। ଆଜି ଠାରୁ ଏହା ଶିମିଳିପାଳ ଜାତୀୟ ଉଦ୍ୟାନ ବା ନ୍ୟାଶନାଲ ପାର୍କ ଭାବରେ ପରିଗଣିତ ହୋଇଛି ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶରାମ କହିଛନ୍ତି। କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି। ଏହା ଦ୍ୱାରା ସ୍ବତନ୍ତ୍ର ବଜେଟ କେନ୍ଦ୍ରରୁ ମିଳିବ। ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇ ପାରିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶିମିଳିପାଳ ସଂରକ୍ଷିତ ଜଙ୍ଗଲର ପରିସୀମା ୨୭୫୦ ବର୍ଗ କିଲୋମିଟର ରହିଥିବା ବେଳେ ସେଥିରୁ ୮୪୫.୭୦ ବର୍ଗ କିଲୋମିଟରକୁ ଘୋଷଣା କରାଯାଇଛି। ଏହା ବହୁ ଆଗରୁ ପେଣ୍ଡିଂ ଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
୮୪୫.୭୦ବର୍ଗ କିଲୋମିଟର (୮୪୫୭୦ ହେକ୍ଟର) ପରିମିତ ଶିମିଳିପାଳ ଜାତୀୟ ଉଦ୍ୟାନ ଅଧିନରେ ଶିମିଳିପାଳ ସାଉଥ ବନ୍ୟପ୍ରାଣୀ ଡିଭିଜନ ଓ ଶିମିଳିପାଳ ନର୍ଥ ବନ୍ୟପ୍ରାଣୀ ଡିଭିଜନ ରହିଛି। ଏହା ମଧ୍ୟରେ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ରହିଛି।
ଶିମିଳିପାଳ ସାଉଥ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ପିଠାବଟା ଉତ୍ତର ବନ୍ୟପ୍ରାଣୀ ରେଞ୍ଜ, ଦକ୍ଷିଣ ବନ୍ୟପ୍ରାଣୀ ରେଞ୍ଜ, ନାଓାନ ବନ୍ୟପ୍ରାଣୀ ରେଞ୍ଜ, ଜେନାବିଲ ବନ୍ୟପ୍ରାଣୀ ରେଞ୍ଜ, ନ୍ୟାଶନାଲ ପାର୍କ ବନ୍ୟପ୍ରାଣୀ ରେଞ୍ଜ, ୟୁବିକେ ବନ୍ୟପ୍ରାଣୀ ରେଞ୍ଜ ଓ ଭଞ୍ଜବସା ବନ୍ୟପ୍ରାଣୀ ରେଞ୍ଜ ରହିଛି। ଶିମିଳିପାଳ ନର୍ଥ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ବରେହିପାଣି ବନୟପ୍ରାଣୀ ରେଞ୍ଜ, ଚହଲା ବନ୍ୟପ୍ରାଣୀ ରେଞ୍ଜ, ନଓାନା ନର୍ଥ ବନ୍ୟପ୍ରାଣୀ ରେଞ୍ଜ, ତଳବନ୍ଧ ବନ୍ୟପ୍ରାଣୀ ରେଞ୍ଜ ରହିଥିବା ସୂଚନା ମିଳିଛି।












Click it and Unblock the Notifications