୨୪ରେ ନିର୍ବାଚନ ଲଢ଼ିବେ କି ନାହିଁ ମୁହଁ ଖୋଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, ଜାଣନ୍ତୁ କଣ କହିଲେ
ଏଥର ପୁରା ରୋଚକ ମୁଡ଼ରେ ରାଜ୍ୟ ରାଜନୀତି । ସବୁ ଦଳରେ ମାଳମାଳ ଆଶାୟୀ । କିଏ ନେବ ଟିକେଟ ,କାହାକୁ ଭରସା କରିବ ଦଳ ଏମିତି ଅନେକ ପ୍ରଶ୍ନ ଭିତରେ ତିନି ପ୍ରମୁଖ ରାଜନୈତିକ ଦଳ । ସବୁ ଠାରୁ ବଡ କଥା ହେଉଛି କି ଏଥର ବହୁ ବରିଷ୍ଠ ନେତାଙ୍କୁ ବାଦ ଦେଇଛି ବିଜେଡି । ଆଉ ଅନେକ ନବଗତଙ୍କୁ ସୁଯୋଗ ଦେଇଛି । ଏହାରି ଭିତରେ ଟିକେଟ କାଟିବା ପରେ ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି। କିନ୍ତୁ ମୋତେ ଟିକେଟ୍ ନ ମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି। ମୋତେ ଅନ୍ୟଦଳରୁ ପ୍ରସ୍ତାବ ଆସୁଛି, କିନ୍ତୁ ଆଜି ବି ମୁଁ ବିଜେଡିରେ ଅଛି। ମୁଁ ନିଷ୍ପତ୍ତି ନେଇଛି ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବିନି। କାହିଁକି ମୋ ଟିକେଟ କଟିଛି ସେନେଇ କିଛି କହିପାରିବିନି ବୋଲି ଅମର କହିଛନ୍ତି।
ବିଜେଡି ତାହାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ବଡଚଣାର ଟାଣୁଆ ନେତା ତଥା ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଅମରଙ୍କ ଭଳି ପୁରୁଖା ନେତାଙ୍କ ସ୍ଥାନରେ ବର୍ଷାଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦୁଇ ଦିନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ। ଏହାକୁ ନେଇ ଅମରଙ୍କ ସମର୍ଥକ ଅମରଙ୍କ ଘରେ ମେଳି ହୋଇଥିଲେ ।
ସେହିପରି ଶଶୀଭୂଷଣ ବେହେରାଙ୍କ ଟିକେଟ କାଟି ଗଣେଶ୍ୱର ବେହେରାଙ୍କୁ ବିଧାନସଭା ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ ଗଣେଶ୍ୱର ବେହେରା କଂଗ୍ରେସରେ ଥିବାବେଳେ ନିକଟରେ ଦଳ ଛାଡି ବିଜେଡିରେ ମିଶିଥିଲେ।












Click it and Unblock the Notifications