ହୋଲିରେ ନିଶା ମନା: ରାଜଧାନୀକୁ ଜଗିବ ସ୍ପେଶାଲ ସ୍କ୍ୱାଡ୍ ଓ ଟିମ୍-୬୦
ହୋଲି ପାଇଁ ବି ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ । ଜାରି କରିଛି ହୋଲି ଗାଇଡଲାଇନ । ହୋଲି ନାଁରେ ନିଶା ଖାଇ ଯଦି ମଉଜ କରିବା ପାଇଁ ଯୋଜନା ରଖିଥିବେ, ତେବେ ସାବଧାନ । ପାନେ ଚଖେଇବ କମିଶନରେଟ ପୋଲିସ ।

ଭୁବନେଶ୍ୱର: ରାତି ପାଇଲେ ରଙ୍ଗର ପର୍ବ ହୋଲି । ଉତ୍ସବମୁଖର ସାରା ରାଜ୍ୟ । ବିଭିନ୍ନ ଆଡେ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହେଲାଣି । ସେହି ଢଙ୍ଗରେ ହୋଲି ପାଇଁ ବି ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ । ଜାରି କରିଛି ହୋଲି ଗାଇଡଲାଇନ । ହୋଲି ନାଁରେ ନିଶା ଖାଇ ଯଦି ମଉଜ କରିବା ପାଇଁ ଯୋଜନା ରଖିଥିବେ, ତେବେ ସାବଧାନ । ପାନେ ଚଖେଇବ କମିଶନରେଟ ପୋଲିସ ।
କାରଣ ରାଜଧାନୀ ସାରା ପଇଁତରା ମାରିବ ପୋଲିସ । ମଦୁଆଙ୍କ ଉପରେ ରଖିବ କଡା ନଜର । ଆଜି ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ହୋଲି ଦିନ ଭୁବନେଶ୍ବରକୁ ଜଗିବେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ୍-୬୦ । ହୋଲି ସମୟରେ ୩୧ ଟି ସ୍ଥାନରେ ପିକେଟିଂ କରିବ ପୋଲିସ । ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ହୋଲି ପାଇଁ ନଦୀ ପଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ତେବେ ଡିସିପି କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ହୋଲି ଖେଳ ଆରମ୍ଭ ହେବ । ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ହୋଲି ପାଇଁ ଲୋକେ ବେଶ ଉତ୍ସାହିତ ଅଛନ୍ତି । ଏହି ସମୟରେ ବେଶି ଅଘଟଣ,ସାମ୍ପ୍ରଦାୟିକ ଉତ୍ତେଜନା, ଅପରାଧମୂଳକ ଘଟଣା ମଧ୍ୟ ଘଟିଥାଏ । ବିଶେଷ କରି ନଦୀରେ ଗାଧୋଇବାବେଳେ ଅଘଟଣ ଘଟିଥାଏ । ଏ ସବୁ ଉପରେ ନଜର ରଖିବ କମିଶନରେଟ ପୋଲିସ । ସବୁ ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ମୁତୟନ ହେବେ ।
ଏହା ସହ ଭୁବନେଶ୍ଵରର ମୁଖ୍ୟ ୪ଟି ସ୍ଥାନ ଯଥା, ଏଜି ଛକ, ବାଣୀବିହାର ଛକ, ଡମଣା ଛକ ଏବଂ ଖଣ୍ଡଗିରି ଛକରେ ଷ୍ଟ୍ରାକିଙ୍ଗ ଫୋର୍ସ ମୁତୟନ ହେବେ । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ । ୪ ଜଣ ଏଡିସିପି ସୁପରଭାଇଜ କରିବେ । ୭ ଏସିପି, ୨୮ ଆଇଆଇସି, ୫୭ ଜଣ ଏସଆଇ, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେହିପରି ରାତିରେ ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ନଜର ରଖା ଯାଇଛି ବୋଲି କହିଛନ୍ତି ଡିସିପି ।












Click it and Unblock the Notifications