ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବେଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଫେବୃୟାରୀ ୨୦୨୪ ଶେଷ ସୁଦ୍ଧା ବିଭିନ୍ନ ବିଭାଗ ତଥା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।
ବଜେଟ୍ ରେ ଆର୍ଥିକ ଆବଣ୍ଟନ ଅନୁସାରେ ବିଭିନ୍ନ ବିଭାଗର ଗତ ବର୍ଷ ଫେବୃୟାରୀ ମାସ ଶେଷ ତୁଳନାରେ ଚଳିତ ବର୍ଷ ଫେବୃୟାରୀ ମାସ ଶେଷ ସୁଦ୍ଧା ବ୍ୟୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ଜଣାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଦେଇଥିଲେ ।

ବୈଠକରୁ ଜଣାଯାଇଛି ଯେ, ରାଜସ୍ୱ ଆଦାୟ କ୍ଷେତ୍ରରେ ମୁଖ୍ୟତଃ ଜିଏସଟି, ଭୂ ରାଜସ୍ୱ, ଯାନ ଟିକସ, ଇଡିର ଭଲ ପ୍ରଦର୍ଶନ ଯୋଗୁଁ ୨୦୨୪ ଫେବୃଆରୀ ସୁଦ୍ଧା ନିଜସ୍ୱ ଟିକସ ରାଜସ୍ୱରେ ଗତ ବର୍ଷ ତୁଳନାରେ ୧୮% ବୃଦ୍ଧି ଘଟିଛି । ସେହିପରି ମୁଖ୍ୟତଃ ଖଣି ରାଜସ୍ୱ ଏବଂ ପ୍ରାପ୍ତ ଲାଭାଂଶରେ ଅଭିବୃଦ୍ଧି ଯୋଗୁଁ ୨୦୨୪ ଫେବୃଆରୀ ସୁଦ୍ଧା ଅଣଟିକସ ରାଜସ୍ୱରେ ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ୨୦% ବୃଦ୍ଧି ଘଟିଛି । ୨୦୨୪ ଫେବୃଆରୀ ସୁଦ୍ଧା ମୋଟ ରାଜସ୍ୱ ଆଦାୟ ଗତ ବର୍ଷ ତୁଳନାରେ ୨୩.୪୨% ବୃଦ୍ଧି ପାଇଛି ।
ବୈଠକର ପ୍ରାରମ୍ଭରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗତ ମାସରେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ । ଗତ ଫେବୃୟାରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୧ ଟି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରାଯାଇଥିବା ସହ ୧୩ ଜିଲ୍ଲାରେ ୨୦ ଟି ଆମ ବସଷ୍ଟାଣ୍ଡ ଲୋକାର୍ପଣ କରାଯାଇଛି । ୨୦୨୩-୨୪ ବର୍ଷରେ ୨୫.୬୩ ଲକ୍ଷ ଏକର ରବି ଫସଲ କରାଯାଇଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୯୧ ପ୍ରତିଶତ । ରାଜ୍ୟରେ ପ୍ରଥମ ଥର କରି ମତ୍ସ୍ୟ ପ୍ରାଣୀ ସମାବେଶ ଓଡିଶା -୨୦୨୪ ଅନୁଷ୍ଠିତ ହୋଇଛି, ଯାହାକି କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ବହୁଗୁଣିତ କରିବ । ବୟନଶିଳ୍ପ ଓ ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ପ୍ରଣୟନ କରାଯାଇଛି ।
ଉଚ୍ଚ ଶିକ୍ଷା ବିଭାଗ ଓ ଜେଏନୟୁ ସହିତ ଓଡିଆ ଭାଷାରେ ଅଧ୍ୟୟନ ଓ ଗବେଷଣା ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବିଭିନ୍ନ ରାଜ୍ୟରେ ୭ ଟି ଓଡିଆ ଚେୟାର ପ୍ରତିଷ୍ଠା ହେବା ପାଇଁ ଅନୁମୋଦନ, ନୂଆ-ଓ ସ୍କଲାରସିପ୍ ଲାଗୁ ଏବଂ ୭୫୦ ଶଯ୍ୟା ବିଶିଷ୍ଟ ବାଗଚୀ -ଶ୍ରୀ ଶଙ୍କରା କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର ଲୋକାର୍ପଣ ହୋଇଛି । ଜନତା ମୈଦାନ ଠାରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହେବା, ଗ୍ରାମୀଣ ଯୁବକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ସ୍ୱୟମ୍ ଯୋଜନା ଲାଗୁ, ରାଜ୍ୟରେ ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କି ସୁବିଧା ନଥିବା ୨୦୦୦ ଗ୍ରାମ ପଂଚାୟତରେ ସିଏସପି ଆଉଟଲେଟ୍ ଖୋଲିବା ଆଦି ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତା ସଂପର୍କରେ ବୈଠକରେ ଉପସ୍ଥାପନା କରାଯାଇଥିଲା ।












Click it and Unblock the Notifications