କାଲିଠୁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା, ପୁଣି କମ୍ପିବ ଗୃହ
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏହା ମାର୍ଚ୍ଚ 10 ରୁ ଆରମ୍ଭ ହୋଇ ଏପ୍ରିଲ 6 ଯାଏଁ ଚାଲିବ ।

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏହା ମାର୍ଚ୍ଚ 10 ରୁ ଆରମ୍ଭ ହୋଇ ଏପ୍ରିଲ 6 ଯାଏଁ ଚାଲିବ । ତେବେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ତେବେ ଆସନ୍ତାକାଲି ଗୃହରେ କ'ଣ ପ୍ରସଙ୍ଗ ଉଠିବ ସେ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏଥର ବି ବିଧାନସଭାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠିବ । ଖଣି ଦୁର୍ନୀତି, ଦରଦାମ ବୃଦ୍ଧି, ବିଦ୍ୟୁତ କାଟ୍ ବିଷୟରେ ଆଲୋଚନା ହେବ ।
ସେହିପରି ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି କୌଣସି ନିର୍ଯାସ ବାହାରି ପାରିନି । କାହିଁକି ହତ୍ୟା ହେଲା ଏବେ ଯାଏଁ ଜଣା ପଡୁନାହିଁ । ଗୃହରେ ସରକାର ମିଥ୍ୟା ତଥ୍ୟ ଦେଉଛନ୍ତି । ନବ ଦାସ ହତ୍ୟାକାଣ୍ଡ ପଛର ଅସଲ କାରଣ କଣ ତାର ଜବାବ ସରକାରଙ୍କୁ ଦେବାକୁ ପଡିବ ବୋଲି ନରସିଂହ ମିଶ୍ର କହିଛନ୍ତି।
ସେପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଧିବେଶନ ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଜୟ କହିଛନ୍ତି ଯେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ମାଗିବ ବିଜେପି। କାହିଁକି ନବ ଦାସଙ୍କୁ ହତ୍ୟା କରାଗଲା। ଗୋପାଳ ଦାସ ପଛରେ କିଏ ଷଡ଼ଯନ୍ତ୍ରକାରୀ ? ତାକୁ ଖୋଜି ବାହାର କରିବା କ୍ରାଇମବ୍ରାଞ୍ଚର କାମ । କିନ୍ତୁ ଏଯାଏଁ ତାହା ହେଲାନାହିଁ। ସେହିପରି ଚାଷୀ ସମସ୍ୟା ସମେତ ବୃହତ ପ୍ରସଙ୍ଗ ଉଠାଇବ ବିଜେପି । ଏହାସହ ଭିତ୍ତିଭୂମି ଜଙ୍ଗଲ ଅବକ୍ଷୟ ପ୍ରସଙ୍ଗ ବି ଉଠାଇବ ।
ଅନ୍ୟପଟେ ବିରୋଧୀଦଳଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ସରକାର ଓ ସରକାରୀ ଦଳ । ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ନସରିବା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ କଣ କହିବ? ଦୈନନ୍ଦିନ ତଦନ୍ତ ଆଧାରରେ କିଛି କୁହାଯାଏ ନାହିଁ । ବିରୋଧୀଙ୍କ କାମ ସରକାରଙ୍କୁ ସମାଲୋଚନା କରିବା । ବିରୋଧ କରିବା । ଏଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।












Click it and Unblock the Notifications