ବିଧାନସଭାର ଆଜି ଦ୍ବିତୀୟ ଦିନ: କାଟ୍ ଖାଇବ ଅନାସ୍ଥା ପ୍ରସ୍ତାବ ! ବିଜେଡି ପାଇଁ ଅଡ଼ୁଆ ସ୍ଥିତି
ବିଧାନସଭାର ଆଜି ଦ୍ବିତୀୟ ଦିନ । ପୂର୍ବ ଘୋଷଣା ଅନୁଯାୟୀ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଦେଇଛି । କଂଗ୍ରେସର ୧୪ ବିଧାୟକ ଓ ସିପିଆଇଏମ୍ର ଜଣେ ବିଧାୟକ ଏଥିରେ ଦସ୍ତଖତ କରିଛନ୍ତି । ସଂଖ୍ୟାର ହିସାବ ଦେଖିଲେ ପ୍ରସ୍ତାବ କାଟ୍ ଖାଇବ, ଏଥିରେ ସନ୍ଦେହ ନାହିଁ । ତେବେ ଅନାସ୍ଥା ନୋଟିସ୍ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି ।
ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଏହା ଅଡ଼ୁଆରେ ପକାଇଛି । ଯଦିଓ ସରକାରଙ୍କର କିଛି କ୍ଷତି ହେବନି, ତେବେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶାସକ ଦଳକୁ ଅକଳରେ ପକାଇ କଂଗ୍ରେସ ରାଜନୈତିକ ଫାଇଦା ନେବାର ଲକ୍ଷ୍ୟ ରଖିଛି ।
କିଛି ଦିନ ପୂର୍ବରୁ ପିସିସି ସଭାପତି ଭକ୍ତଚରଣ ଦାସ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ବିଜେଡିର ସମର୍ଥନ ଲୋଡ଼ିଥିଲେ । ଏ ପ୍ରସ୍ତାବ ବି ଦେଇଥିଲେ ଯେ ଯଦି ଆମକୁ ସମର୍ଥନ ଦେବନାହିଁ, ତେବେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ତାହାକୁ ସମର୍ଥନ କରିବ । ବିଜେଡି ଏହି ଆହ୍ବାନକୁ ଗ୍ରହଣ କରି ନଥିଲା । ସମୟ ଆସିଲେ ନିଷ୍ପତ୍ତି ନିଆଯିବ ବୋଲି ଦଳର ବରିଷ୍ଠ ନେତାମାନେ କହିଥିଲେ । ଯେହେତୁ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିବାର ନଥିଲା, ତେଣୁ ପ୍ରଥମ ଦିନରେ ହିଁ କଂଗ୍ରେସ ଅନାସ୍ଥା ନୋଟିସ୍ ଦେଇଛି । ବିଧାନସଭା ସଚିବଙ୍କୁ ଭେଟି ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଦଳର ବିଧାୟକମାନେ ଏହି ନୋଟିସ୍ ପ୍ରଦାନ କରିଛନ୍ତି ।

ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ଥୟ
ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଯିବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ଅନ୍ୟ ସଦସ୍ୟମାନେ ବିଜେଡି ବିଧାୟକମାନଙ୍କୁ ଭେଟିଥିଲେ । ସେମାନେ ବିଧାନସଭା ପରିସରରେ ଥିବା ବିରୋଧୀ ଦଳ ନେତାଙ୍କ ଚାମ୍ବରକୁ ଯାଇଥିଲେ । ସେଠାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଉପସ୍ଥିତ ଥିଲେ। କଂଗ୍ରେସ ବିଧାୟକମାନେ ତାଙ୍କୁ ଅନାସ୍ଥା ସମ୍ପର୍କରେ ଅବଗତ କରିବା ସହ ସମର୍ଥନ କରିବାକୁ ନିବେଦନ କରିଥିଲେ । ଦଳୀୟ ବୈଠକରେ ଏ ନେଇ ଆଲୋଚନା କରି ଜଣାଯିବ ବୋଲି ଶ୍ରୀ ଦେବ କହିଥିଲେ ।
ବିଜେଡି ପାଇଁ ଅଡ଼ୁଆ ସ୍ଥିତି
ଅନାସ୍ଥା ପ୍ରସ୍ତାବ ଏବେ ବିଜେଡି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି । ଏହାକୁ ସମର୍ଥନ କରାଯିବନାହିଁ ବୋଲି ଦଳରେ ଆପାତତଃ ନିଷ୍ପତ୍ତି ନିଆଯାଇଛି । ଅନାସ୍ଥା ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଗତକାଲିଠାରୁ ହିଁ ବିଜେଡି ଚାଲ୍ ଖେଳିଛି । ପ୍ରତିଦିନ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ବିଧାନସଭାକୁ ଅଚଳ କରିବାକୁ ଦଳ ଯୋଜନା କରିସାରିଛି । ବିଧାୟକମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ତେଣୁ ଅନାସ୍ଥା ପ୍ରସଙ୍ଗରେ କଂଗ୍ରେସ ଯେଉଁ ମାଇଲେଜ୍ ନେବାକୁ ବସିଛି, ବିଜେଡି ଗୃହ ବନ୍ଦ କରି ସେହି ମାଇଲେଜ୍କୁ ଭିନ୍ନ ବାଟରେ ନିଜେ ନେବ ବୋଲି ରଣନୀତି କରିଛି । ଆଜି ବିଜେଡିର ବରିଷ୍ଠ ବିଧାୟକମାନେ ଏକାଠି ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ନବୀନ ନିବାସରେ ଏକାଠି ବସିଥିଲେ । ସେଠାରେ କି ନିଷ୍ପତ୍ତି ନିଆଗଲା, ସେ ସମ୍ପର୍କରେ ଗଣମାଧ୍ୟମକୁ କେହି ସ୍ପଷ୍ଟ କରିନାହାନ୍ତି ।
ରାଜନୈତିକ ମହଲର କହିବା କଥା, ବିଜେପି ଓ ବିଜେଡି ସବୁବେଳେ ପରସ୍ପର ପ୍ରତି ନରମ ଆଭିମୁଖ୍ୟ ଦେଖାଇ ଆସିଛନ୍ତି । ସଂସଦରେ ଏହା ବାରମ୍ବାର ପ୍ରମାଣିତ ହୋଇଛି । ୱକଫ୍ ପ୍ରସଙ୍ଗରେ ବିଜେଡି ସାଂସଦଙ୍କ ବିବେକାନୁମୋଦିତ ଭୋଟ୍ ହେଉ କି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦାନରୁ ବିରତ ପର୍ଯ୍ୟନ୍ତ ସବୁଥିରେ ବିଜେଡିର ନିଷ୍ପତ୍ତି ପରୋକ୍ଷରେ ବିଜେପିକୁ ସୁହାଇଛି । ପ୍ରତିଦାନରେ ବିଜେଡି ସରକାର ସମୟରେ କୌଣସି ବଡ଼ ଦୁର୍ନୀତି ଓ ଅନିୟମିତତାକୁ ବର୍ତ୍ତମାନର ସରକାର ହାତ ମାରୁ ନାହାନ୍ତି । ଏ ନେଇ ସରକାର ସମାଲୋଚିତ ହେଉଥିଲେ ବି କିଛି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବରେ କଂଗ୍ରେସ ସହ ରହି ଶାସକ ଦଳକୁ ଅସନ୍ତୁଷ୍ଟ କରିବାକୁ କଦାପି ବିଜେଡି ଚାହିବ ନାହିଁ ବୋଲି ଏହି ମହଲରେ ବିବେଚନା କରାଯାଉଛି ।
ପୂର୍ବରୁ ଓଡ଼ିଶା ବିଧାନସଭାରେ ଦୁଇ ଥର ଅନାସ୍ଥା ପ୍ରସ୍ତାବ ଆସିଛି । ୧୯୯୭ରେ କଂଗ୍ରେସ ସରକାର ସମୟରେ ଏବଂ ୨୦୦୮ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଅନାସ୍ଥା ପ୍ରସ୍ତାବ ଆସିଥିବାବେଳେ ତାହା କାଟ୍ ଖାଇଯାଇଥିଲା । ଏ ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆଣି କଂଗ୍ରେସ ଲୋକହସା ହେବ । ସଂଖ୍ୟା ନ ଥାଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଏହା କଂଗ୍ରେସର ଷ୍ଟଣ୍ଟ୍ । ସରକାରଙ୍କ ଉପରେ ତାହାର କିଛି ପ୍ରଭାବ ପଡ଼ିବନି । ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି । ଏହି ପ୍ରସ୍ତାବକୁ ବାଚସ୍ପତି କେବେ ଗ୍ରହଣ କରିବେ, ତାହା ଜଣାନାହିଁ । ନଈ ନ ଦେଖୁଣୁ ଲଙ୍ଗଳା ହେବା ଉଚିତ ନୁହେଁ। ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ ।












Click it and Unblock the Notifications