ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ: ବିଭିନ୍ନ ପ୍ରସଙ୍ଗର ସରଗରମ ରହିବ ଗୃହ
ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ । ଆଜି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ । ଆଜି ଗୃହରେ ସ୍ବରାଷ୍ଟ୍ର, ଅର୍ଥ, ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଆଜି କିଛି ରିପୋର୍ଟ ଓ ବିଲ୍ ମଧ୍ୟ ଗୃହରେ ଆଗତ ହେବ ।
ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ବିରୋଧୀ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ । ପ୍ରଥମ ଦିନ ଅତିରିକ୍ତ ବଜେଟ ଆଗତ ହୋଇଛି । ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି ।
ବିଧାନସଭା ମୌସୁମୀ ଅଧିବେଶନରେ ଆଗତ ହୋଇଥିଲା 2023-24 ପାଇଁ ଅତିରିକ୍ତ ବଜେଟ । ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମୋଟ୍ 28 ହଜାର 200 କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଥିଲା । ଏହା ପରେ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଥିଲା ।

ଅନ୍ୟପଟେ ବିଧାନସଭା ଆରମ୍ଭରୁ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ରମେଶ ସୋରେନ, ନିବେଦିତା ପ୍ରଧାନ, କୁମର ବେହେରା, ଲାନ୍ସ ନାୟକ ଦେବାଶିଷ ବିଶ୍ବାଳ, କନେଷ୍ଟବଳ ସୁଶାନ୍ତ ଖୁଣ୍ଟିଆ, ସୁଶାନ୍ତ କୁମାର ମହାନ୍ତିଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ ।
ପୋଲିସ ଡ଼ିଜି ସୁନୀଲ ବଂଶଲ ନିଜେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବେଳେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ବାହାରେ ଏସଟିୟୁ ଓ ଓଏସଏଫ ନିୟୋଜିତ ହେବେ। ସେହିପରି ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଲି ଓ ଧାରଣ ଉପରେ ନଜର ରଖାଯାଇଛି । ସୁରକ୍ଷା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।












Click it and Unblock the Notifications