ଆଜିଠୁ ଓଡ଼ିଶାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ; ଉଦଘାଟନ କରିବେ ଲୋକସଭା ବାଚସ୍ପତି
୩୧ ବର୍ଷ ପରେ ଓଡ଼ିଶାରେ ଆଜିଠାରୁ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀ ଆୟୋଜନ ହେଉଛି। ଲୋକସେବା ଭବନରେ ଆସନ୍ତା ୨୯ ଓ ୩୦ ତାରିଖରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ୩ କେନ୍ଦ୍ରମନ୍ତ୍ରୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ ସାମିଲ ହେବେ। ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏନେଇ ସୂଚନା ଦେଇଛନ୍ତି।

ଲୋକସଭା ବାଚସ୍ପତି ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଏକ ସ୍ମରଣୀକା ମଧ୍ୟ ଉନ୍ମୋଚନ କରିବେ। ଉଦଘାଟନୀ ଅଧିବେଶନରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ସ୍ୱାଗତ ଭାଷଣ ଦେବେ। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିବେ। ଦୁଇ ଦିନିଆ ସମ୍ମିଳନୀରେ ସଂସଦ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ସମେତ ୧୨୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ପଞ୍ଜୀକରଣ କରିଛନ୍ତି। ସେହିପରି ୨୯ ଜଣ ସାଂସଦ ମଧ୍ୟ ପଞ୍ଜିକରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ୮୦ରୁ ଉର୍ଦ୍ଧ୍ବ ଅଧିକାରୀ, ବିଭିନ୍ନ ରାଜ୍ୟର ୩୦ରୁ ଉର୍ଦ୍ଧ୍ବ ଅଧିକାରୀ ସାମିଲ ହେବେ ବୋଲି ପଞ୍ଜିକୃତ ହୋଇଛନ୍ତି। ପରିବାର ସହିତ ସମସ୍ତେ ସାମିଲ ହେବାକୁ ଅନୁରୋଧ କରାଯାଇଛି।
ଆସନ୍ତା ୩୦ ଅଗଷ୍ଟରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ ଉଦଯାପନୀ ଅଭିଭାଷଣ ସହିତ ଏହି ସମ୍ମିଳନୀ ଉଦଯାପିତ ହେବ। ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂ କୁଲସ୍ତେ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ଓ ସଂସଦୀୟ ବ୍ୟାପାର ମୁକେଶ ମହାଲିଙ୍ଗ ଉଦଯାପନୀ ଅଧିବେଶନରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସମିତିର ଅଧ୍ୟକ୍ଷ ଭାଷ୍କର ମଢ଼େଇ ଧନ୍ୟବାଦ ଅର୍ପଣ କରିବେ।
ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି, 'ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନସଭା ସମିତିଗୁଡ଼ିକର ଭୂମିକା।' ମୁଖ୍ୟତଃ ଏହି ସମ୍ମିଳନୀରେ ସାମ୍ବିଧାନିକ ସୁରକ୍ଷାକୁ ସୁଦୃଢ, ସାମାଜିକ ଏବଂ ଆର୍ଥିକ ବିକାଶ ବୃଦ୍ଧି, ଅନୁସୂଚିତ ଜାତି ଏବଂ ଜନଜାତିଙ୍କୁ ସଶକ୍ତ କରିବା ଲାଗି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ନେଇଥିବା ପଦକ୍ଷେପ ବାବଦରେ ଆଲୋଚନା ହେବ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ସହ କଲ୍ୟାଣକାରୀ ନୀତିର କାର୍ଯ୍ୟାନ୍ଵୟନର ଉତ୍ତର ଦାୟିତ୍ୱକୁ ସୁନିଶ୍ଚିତ କରିବାରେ ସଂସଦୀୟ ଭୂମିକା ବାବଦରେ ଆଲୋଚନା ହେବ। ସେହିପରି ଅନ୍ୟ ରାଜ୍ୟରୁ ଆସିଥିବା ଅତିଥିମାନଙ୍କୁ ଓଡ଼ିଶାର ଆଦିବାସୀଙ୍କ ଚାଲିଚଳଣୀ, ଖାଦ୍ୟପେୟ, ପୋଷାକ ପରିଧାନ, କାର୍ଯ୍ୟ କୁଶଳତା, କାରିଗରୀ ବିଦ୍ୟା, ଲୋକକଳା ବାବଦରେ ଅବଗତ କରାଯିବ।
୧୯୯୪ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ସର୍ବଭାରତୀୟ ବାଚସ୍ପତି ମାନଙ୍କଙ୍କ ସମ୍ମିଳନୀ ଓଡିଶାରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ଆଉ କୌଣସି ଜାତୀୟ ସମ୍ମିଳନୀ ଓଡିଶାରେ ଆୟୋଜନ ହୋଇନାହିଁ। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କର ପ୍ରଥମ ସମ୍ମିଳନୀ ୧୯୭୬ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୭୯, ୧୯୮୩, ୧୯୮୭ ଏବଂ ୨୦୦୧ ମସିହାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ଏବଂ ସାମ୍ବିଧାନିକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି। ଏହି ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ପ୍ରଥମ ରାଜ୍ୟ ହୋଇଛି ଓଡିଶା। ପ୍ରାୟ ୨୫ ବର୍ଷ ପରେ ଏହି ସମ୍ମିଳନୀ ପୁନର୍ବାର ଆରମ୍ଭ ହେଉଛି।












Click it and Unblock the Notifications