ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ: ଭୁବନେଶ୍ୱରରେ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଦେଶ ପାଳୁଛି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ଏକତା ଦୌଡ଼ର ଆୟୋଜନ ହୋଇଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ଗଣଦୌଡ଼ରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା ପାଇଁ ଏହି ଗଣଦୌଡ଼ ଆୟୋଜନ ହୋଇଛି ।
ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ । ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଭାରତ ସହ ମିଶାଇବାରେ ସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସାରା ଭାରତ ବର୍ଷରେ ଜଣେ ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲ । ଆଧୁନିକ ଭାରତର ଗଠନକାରୀ ସର୍ଦ୍ଦାର ପଟେଲ ଅକ୍ଟୋବର ୩୧ ତାରିଖ ଆଜିର ଦିନରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ । ଆଜି ତାଙ୍କର ୧୫୦ ତମ ପୁଣ୍ୟ ଜନ୍ମତିଥିକୁ ସାରା ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ।

ଏକ ଭାରତ, ଆତ୍ମନିର୍ଭର ଭାରତ। ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଏକତା ଦୌଡ଼। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏହି ଦୌଡ଼ର ଆୟୋଜନ କରାଯାଇଛି। ଏକତା ପାଇଁ ଦୌଡ଼ିବା, ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏକତା ପାଇଁ ଶପଥ ପାଠ କରାଇଥିଲେ । କଳିଙ୍ଗ ଷ୍ଟାଡିୟମରୁ ଏହି ଦୌଡ ଆରମ୍ଭ ହୋଇ ପାୱାର ହାଉସ ଛକ ଦେଇ ପୁଣି କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଏକତା ଦୌଡ଼ରେ ସାମିଲ ହୋଇ ଦୌଡ଼ି ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ରନ ଫର୍ ୟୁନିଟି
୨୦୧୪ ମସିହାରେ ରନ ଫର୍ ୟୁନିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ଗଣତନ୍ତ୍ରରେ ସ୍ୱତନ୍ତ୍ରତା ପ୍ରଦାନ କରିବା ସହ ଗଡ଼ଜାତ ରାଜ୍ୟର ମିଶ୍ରଣ କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭାରତର ସ୍ଵାଧୀନତା ସମୟରେ ସମସ୍ତ ଗଡ଼ଜାତ ରାଜ୍ୟଗୁଡ଼ିକୁ ଲୌହ ମାନବ ଦେଶରେ ମିଶାଇ ଅଖଣ୍ଡ ଭାରତକୁ ସଶକ୍ତ କରାଇଥିଲେ। ଦେଶର ପ୍ରଥମ ଗୃହମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ୫୧୪ଟି ଗଡ଼ଜାତ ରାଜ୍ୟକୁ ଏକାଠି କରିଥିଲେ, ଯେଉଁଥିରେ ଥିଲା ବାଲେଶ୍ଵର ସହର। ବର୍ତମାନ ଓଡ଼ିଶାର ମହାପୁରୁଷଙ୍କ ଜନ୍ମିତ ଗ୍ରାମରେ ତାଙ୍କର ଜନ୍ମ ସ୍ଥାନକୁ ଉନ୍ନତ କରିବା ସହ ତାଙ୍କର ବିରତ୍ୱକୁ ପ୍ରଚାର କରିବା କ୍ଷେତ୍ରରେ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ବରପୁତ୍ରମାନଙ୍କ ପାଇଁ ସମ୍ମାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ଏକତା ଦୌଡ଼ ରାଷ୍ଟ୍ର ଗଠନରେ ଆମର ଭୂମିକାକୁ ଦର୍ଶାଇଥାଏ ବୋଲି ସେ କହିଛନ୍ତି। ସେଭଳି ସର୍ଦ୍ଦାର ପଟେଲଙ୍କ ପ୍ରମୁଖ ଆଦର୍ଶ ଯାହାକୁ ସମସ୍ତେ ଆପଣାଇବା ଦରକାର ଆଉ ସମସ୍ତେ ଏହାକୁ ଆପଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।












Click it and Unblock the Notifications