ସରପଞ୍ଚ-ଯନ୍ତ୍ରୀ ମୁହାଁମୁହିଁ ଘଟଣା; ଉଭୟଙ୍କୁ ଗିରଫ କଲା ପୋଲିସ
ବଲାଙ୍ଗୀର: ସରପଞ୍ଚ-ଯନ୍ତ୍ରୀ ମୁହାଁମୁହିଁ ଘଟଣାରେ ଉଭୟଙ୍କୁ ଗିରଫ କରିଛି ପୋଲିସ । ଚମରିଆ ପଞ୍ଚାୟତ ସରପଞ୍ଚ ସୁଶୀଲ ଗୁରୁ ଏବଂ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ ।
କାମର ମାନକୁ ନେଇ ଗତକାଲି ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ଓ ପୂର୍ତ୍ତ ବିଭାଗ ଏସ୍ଡିଓ ସିଦ୍ଧାର୍ଥ ଦାସଙ୍କ ମଧ୍ୟରେ ଉଚ୍ଚବାଚ ପରେ ମନ୍ଦିର ନିକଟରେ ହାତାହାତି ହୋଇଥିଲେ । ଆଉ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏସ୍ଡିଓ ଶ୍ରୀ ଦାସ ସରପଞ୍ଚଙ୍କ ଉପରେ ମାଡ଼ି ବସି ଏକ କାଠଫାଳିଆରେ ମାରିବାକୁ ଉଦ୍ୟତ ହେଉଥିବା ଦେଖାଯାଉଥିଲା ।
ତେବେ ଏ ନେଇ ଏସ୍ଡିଓ ସିଦ୍ଧାର୍ଥ ଦାସ କହିଛନ୍ତି ଯେ, ଆମେ କାମ ତଦାରଖ କରୁଥିବା ବେଳେ ସୁଶୀଳ ଗୁରୁ ଓ ପଞ୍ଚମ ପ୍ରଧାନ ନାମକ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ସେମାନେ କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଥିଲେ । ଆମେ ବୁଝାଇବାକୁ ଚେଷ୍ଟା କରିଥିଲୁ । ପରେ ସେମାନେ ମତେ ଓ ଜେଇଙ୍କୁ ଗାଳି କଲେ, ଠେଲାପେଲା କଲେ। ଜେଇଙ୍କୁ ଜାତିଆଣ ଆକ୍ଷେପ କଲେ । ପରେ ସେ ଏକ କାଠଫାଳିଆରେ ଆକ୍ରମଣ କରିଥିଲେ । ମୁଁ ନିଜର ସୁରକ୍ଷା ପାଇଁ ତାଙ୍କୁ ଠେଲି ଦେଇଥିଲି । ମୁଁ ତାଙ୍କୁ ମାରିନାହିଁ, ସେ ମାରିବାକୁ ଉଦ୍ୟମ କରୁଥିବା ବେଳେ ମୁଁ ଆତ୍ମରକ୍ଷା ପାଇଁ ଉଦ୍ୟମ କରିଥିଲି ବୋଲି ସେ କହିଛନ୍ତି । ଆଦୌ ନିମ୍ନମାନର କାମ ହେଉନାହିଁ ବୋଲି ସେ କହିଛନ୍ତି ।

ସେହିପରି ସରପଞ୍ଚ କହିଛନ୍ତି ଯେ, ପ୍ରତିବର୍ଷ ଜାନୁଆରି ୧ ତାରିଖ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ବାରା ପରିବେଶ ସୁରକ୍ଷା ନେଇ ଆଲୋଚନା ହୁଏ । ଗୋଟିଏ ବର୍ଷ ହରିଶଙ୍କରରେ ଓ ଆଉ ଗୋଟିଏ ବର୍ଷ ନୃସିଂହନାଥରେ ହୋଇଥାଏ। ସେଥିପାଇଁ ମୁଁ ହରିଶଙ୍କର ଆସିଥିଲି। ଏଠାରେ ନିର୍ମାଣ ହେଉଥିବା ବାଇଶି ପାହାଚ ଯାହା ନକ୍ସାରେ ଥିଲା, ସେଭଳି ହେଉନଥିବା ଦେଖି ଉପସ୍ଥିତ ଅଧିକାରୀଙ୍କୁ ପଚାରିଥିଲି। ସେମାନେ ଏଠାରେ ଥିବା ଚଟାଣ ଫଟାଇ ହେଉନାହିଁ ବୋଲି କହିଥିଲେ। ଏହା ପରେ ଜେଇ ଓ ଦୁଇ ଜଣ ମ୍ୟାନେଜର ମତେ ଧରି ତଳେ କଚାଡ଼ି ଦେଇଥିଲେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୧୪ କୋଟି ଖର୍ଚ୍ଚରେ ହରିଶଙ୍କର ମନ୍ଦିରର ବିକାଶ କାର୍ଯ୍ୟ ଚାଲିଛି । ହେଲେ ନିମ୍ନମାନର କାମ ନେଇ ଚମରିଆ ସରପଞ୍ଚ ସୁଶୀଲ ଅଭିଯୋଗ କରିଥିଲେ । ଏହାକୁ ନେଇ ପିଡବ୍ଲୁଡି ଏସ୍ଡିଓ ଏବଂ ସୁଶୀଲ ଗୁରୁଙ୍କ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଏସ୍ଡିଓ ସିଦ୍ଧାର୍ଥ ସୁଶୀଲ ଗୁରୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି I












Click it and Unblock the Notifications