ଡିପିଆର୍ଓ ମାନେ ଅଧିକ ଦକ୍ଷତାର ସହ ୫-ଟି କାର୍ଯ୍ୟକ୍ରମର ପ୍ରସାର କରନ୍ତୁ: ସଞ୍ଜୟ କୁମାର ସିଂ
୫-ଟି ଉପକ୍ରମର କାର୍ୟ୍ୟା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ: ସଞ୍ଜୟ କୁମାର ସିଂ
ଭୁବନେଶ୍ୱର: ଅଧୁନା ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି । ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି । ରାଜ୍ୟ ସରକାର ଏବେ ୫-ଟି ଉପକ୍ରମ ଆଧାରରେ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି । ୫-ଟି ଉପକ୍ରମ ଆଧାରରେ ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଗତକାଲି ରାଜ୍ୟର ସମସ୍ତ ଜିଲ୍ଲାରୁ ଯୋଗ ଦେଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନଙ୍କର ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଯୋଗ ଦେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପ୍ରକାଶ କରିଛନ୍ତି ।

ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଭୂବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଠାରେ ଆୟୋଜିତ ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଏହା କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ କହିଥିଲେ ଯେ, ଶିଖିବାର କୌଣସି ବୟସ ସୀମା ନାହିଁ । କାର୍ୟ୍ୟରତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଫଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ଘଟିବ ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ପ୍ରଚାର ପ୍ରସାର ଦିଗରେ ସେମାନେ ଅଧିକ ଦକ୍ଷତାର ସହ କାର୍ଯ୍ୟନିର୍ବାହ କରିପାରିବେ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି । ଏଥି ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରତିବର୍ଷ ପ୍ରଶିକ୍ଷଣ ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ସମେତ ଅନ୍ୟ ରାଜ୍ୟରେ ଥିବା ସୂଚନା ଓ ପ୍ରସାରଣ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଷ୍ଟଡି ଟୁର ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିବା ସମ୍ପର୍କରେ ସେ ମତବ୍ୟକ୍ତ କରିଥିଲେ। ସେହିପରି ବିଭାଗର ସୂଚନା ଅଧିକାରୀ, କ୍ୟାମେରାମ୍ୟାନ, ଫଟୋଗ୍ରାଫର ଆଦିଙ୍କୁ ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ଦିଆଯିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ।


ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ବଜେଟ୍ ପ୍ରସ୍ତୁତି, ପେନସନ ନିୟମ, ସରକାରୀ ବିତ୍ତୀୟ ବ୍ୟବସ୍ଥା ଓ ଅଡିଟ୍, ଆୟକର ପ୍ରଦାନରେ ଟିଡିଏସ୍ ବ୍ୟବସ୍ଥା, ଜି.ଏସ୍.ଟି., ଜି.ଇ.ଏମ୍ ପୋର୍ଟାଲର ବ୍ୟବହାର ଆଦି ସଂପର୍କରେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଆୟୋଜିତ ପ୍ରଶିକ୍ଷଣର ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ବିଭାଗର ଉପଶାସନ ସଚିବ ମନ୍ୟୁପ୍ରକାଶ ଆଚାର୍ୟ୍ୟ, ଉପବିଭାଗ ଅଧିକାରୀ ସୌମ୍ୟରଂଜନ ବିଶ୍ୱାଳ ଏବଂ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ଉପ ନିର୍ଦ୍ଦେଶକ ଭାନୁ ମଙ୍ଗଳ ଦାସପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ବିତ୍ତ ଅଧିକାରୀ ପୃଥ୍ୱୀରାଜ ପାଣି ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମର ଉପାଦେୟତା ସଂପର୍କରେ ବର୍କ୍ତବ୍ୟ ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।













Click it and Unblock the Notifications