ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ଜରୁରୀ: ସଞ୍ଜୟ କୁମାର ସିଂହ
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧ୍ଵନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ଵରାନ୍ଵିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ଵୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ଵାନ୍ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ସିଂହ ଏଥରେ ଅଧ୍ୟକ୍ଷତା କରି କହିଲେ ଯେ ବିଭାଗର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେବା ଆବଶ୍ୟକ । ଏହି ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଜଡିତ ଅର୍ଥ ବିଭାଗ ଏବଂ ନାବାର୍ଡ ସହିତ ସମନ୍ଵୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ବିଭାଗ ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ ।

ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ପେନସନ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଉପରେ ମଧ୍ୟ ବିଭାଗ ବିଶେଷ ଭାବେ ଧ୍ୟାନ ଦେଉଛି । ଅଦାଲତ ସମ୍ବନ୍ଧୀୟ କେସ୍ଗୁଡିକୁ ଅଗ୍ରାଧ୍ୟାକାର ଭିତ୍ତିରେ ସମାଧାନ କରି କର୍ମଚାରୀମାନଙ୍କ ଗ୍ରାଚୁଇଟି, ପେନସନ ଆଦିକୁ ସହଜ କରିବା ପାଇଁ ସିଂହ ପରାମର୍ଶ ଦେଇଥିଲେ । ବିଭାଗର ଲ ଅଫିସରମାନେ ପେଣ୍ଡିଂ କେଶଗୁଡିକୁ ତ୍ୱରାନ୍ଵିତ କରି ଫଇସଲା ଦିଗରେ ଯବାନ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧୀୟ ସମସ୍ତ ଅଭିଯୋଗର ଯଥା ସମୟରେ ତ୍ଵରିତ ସମାଧାନପୂର୍ବକ ଅନୁପାଳନ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ ।
ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପଗୁଡିକର ସମୀକ୍ଷା ଅବସରରେ ଶ୍ରୀ ସିଂହ କହିଲେ ଯେ ସଡକ, ସେତୁ ଓ ଗୃହ ନିର୍ମାଣ କ୍ଷେତ୍ରରେ ବିଭାଗ ସମସ୍ତ ସର୍କଲମାନଙ୍କୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇବା ସତ୍ତ୍ବେ କିଛି ଡିଭିଜନ୍ ଧାର୍ଯ୍ୟ ବ୍ୟୟ ଲକ୍ଷରେ ପହଞ୍ଚି ପାରି ନାହାନ୍ତି । ସରକାରଙ୍କ ଦ୍ଵାରା ଚଳିତ ଡିସେମ୍ବର ସୁଦ୍ଧା ଧାର୍ଯ୍ୟ ବ୍ୟୟ ୬୦ ପ୍ରତିଶତ ରହିଥିବାବେଳେ ବର୍ତ୍ତମାନ ଏହା ୪୯.୧୮ ପ୍ରତିଶତ ରହିଛି । ଏଣୁ ଡିଭିଜନମାନଙ୍କୁ ଦିଆ ଯାଇଥିବା ଅନୁଦାନର ବ୍ୟୟ ଚଳିତ ମାସ ଶେଷ ସୁଦ୍ଧା ୬୦ ପ୍ରତିଶତରେ ପହଞ୍ଚାଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସମସ୍ତ ନିର୍ମାଣ କାମ ତ୍ଵରାନ୍ଵିତ ପ୍ରକ୍ରିୟାରେ ଏବଂ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ଵ । ଏ ଦିଗରେ ବିଭାଗର ସମସ୍ତ ଯନ୍ତ୍ରୀମାନେ ଯବାନ ହେବା ଆବଶ୍ୟକ ।
ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧ୍ଵନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ସାରିବା ସହ ଆଗାମୀ ଜାନୁୟାରୀ ସୁଦ୍ଧା ପିସିଆର ପ୍ରଦାନ କରିବାକୁ ସିଂହ ନିର୍ଦ୍ଦେଶ ଦେବା ସହ ରୋଡ ଏବଂ ବ୍ରିଜ ସେକ୍ଟରରେ ସ୍ଥଗିତ ରହିଥିବା ଡିପିଆର ଦାଖଲ କରିବାକୁ କହିଥିଲେ । ସେହିପରି ବିଜୁସେତୁ ଯୋଜନା ଅଧ୍ଵନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ପ୍ରକଳ୍ପ ଅନୁମୋଦନ ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ସମୟାନୁକ୍ରମେ ସଠିକ ଅନୁଧ୍ୟାନ କରି ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ବାହୀ ଯନ୍ତ୍ରୀମାନେ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ସମୟରେ କେଉଁ
ଯୋଜନା ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଇ ପାରୁଛି ସେଗୁଡିକୁ ଅନୁଧ୍ୟାନପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ବୁଝିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ବାକି ରହି ଯାଇଥିବା ଡିପିଆର ଫାଇନାଲ କରିବାକୁ ପରାମର୍ଶ ଦେଇଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ନିଆଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ସର୍ଭେ ଇନ୍ଭେଷ୍ଟିଗେସନ ସମାପ୍ତ ହୋଇଥିବାବେଳେ ୧୦ ଗୋଟି ପ୍ରକଳ୍ପର ଜିଏଡି ଅନୁମୋଦନ ସ୍ଥଗିତ ଅଛି, ଯାହା ଚଳିତ ମାସ ଶେଷ ସୁଦ୍ଧା ସମାଧାନ ହେବ । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧ୍ଵନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଅଗ୍ରାଧ୍ୟାକାର ଭିଭିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଚାଲୁ ରହିଥିବା ପ୍ରକଳ୍ପ ଆସନ୍ତା ଜାନୁୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ କହିଥିଲେ ।
ଏଥୁ ସହିତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପ୍ରକ୍ରିୟା ଜାନୁୟାରୀ ୧୦ ତାରିଖ ସୁଦ୍ଧା ଚୂଡାନ୍ତ କରିବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧ୍ଵନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ନିୟମିତ ଓ ସାମୟିକ ରକ୍ଷଣାବେକ୍ଷଣର ବ୍ୟୟବରାଦକୁ ଦୃଷ୍ଟିରେ ରଖି କାର୍ଯ୍ୟ ଆଗେଇ ନେବାକୁ ଡିଭିଜନମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ କାର୍ଯ୍ୟ ସମୟରେ ଜଙ୍ଗଲ ଜମି ଅଧୁଗ୍ରହଣ ପାଇଁ ଉପୁଚ୍ଛ ଥିବା ଅସୁବିଧା ଦୂର କରି ଏବଂ ଔପଚାରିକତା ସମ୍ପୂର୍ଣ୍ଣ କରି ବିଭାଗକୁ ଜଣାଇବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ଶ୍ରୀ ଜୀବନାନନ୍ଦ ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସରୋଜ କୁମାର ଶତପଥୀ ସୂଚନା ଅଧିକାର ।












Click it and Unblock the Notifications