୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡିଶା, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ
୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା। ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଲୋକସେବା ଭବନରେ ଏହି ଭିଜନ୍ ଡକୁମେଣ୍ଟ ପାଇଁ ଏକ ୱେବ ପୋର୍ଟାଲ ଉନ୍ମୋଚନ କରି ଜନସାଧାରଣଙ୍କୁ ଏଥିପାଇଁ ସୁଚିନ୍ତିତ ମତାମତ ଦେବାକୁ ଆହ୍ୱାନ ଦେଇଛନ୍ତି।
ଏହି ଓ୍ୱେବ୍ ପୋର୍ଟାଲ ହେଉଛି- https://vision.odisha.gov.in/ । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି ଓ୍ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଜନସାଧାରଣ ଏହି ୱେବ ପୋର୍ଟାଲ ସହିତ ହ୍ୱାଟସ୍ ଆପ୍ ଚାଟ୍ ବଟ୍ -+91 6370951920 ଏବଂ ଇ-ମେଲ [email protected] ଜରିଆରେ ରାଜ୍ୟ ସରକାରଙ୍କୁ ଆଜିଠାରୁ ତିନି ସପ୍ତାହ ମଧ୍ୟରେ ପ୍ରସ୍ତାବ ପଠାଇପାରିବେ।
ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଭିଜନ୍ ଡକୁମେଣ୍ଟ ପ୍ରସ୍ତୁତ ହେବ ତାହା ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ ହେବ। ବିକଶିତ ଓଡ଼ିଶାର ରୂପରେଖ ଓଡ଼ିଶାର ଲୋକମାନେ ହିଁ ପ୍ରସ୍ତୁତ କରିବେ। ଏହା କେବଳ ଏକ ସରକାରୀ ଦସ୍ତାବିଜ ହେବ ନାହିଁ, ବରଂ ଏହା ଓଡ଼ିଶାର ଜନସାଧାରଣଙ୍କ ଦ୍ୱାରା, ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ ଏପରି ଏକ ଦସ୍ତାବିଜ ହେବ ଯାହା ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ନିଜେ, ତାଙ୍କର ସହଯୋଗୀ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ମଧ୍ୟ ସମାଜର ସବୁ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟ କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କ ବିଚାର ଓ ପ୍ରସ୍ତାବ ଉପରେ ଅନୁଶୀଳନ କରି ଗ୍ରହଣ କରିବେ। ଆମେ ସମସ୍ତେ ମିଳିମିଶି ଏପରି ଏକ ଓଡ଼ିଶା ଗଠନ କରିବୁ, ଯାହା ଅର୍ଥନୈତିକ ଭାବେ ସମୃଦ୍ଧ ହେବ ଏବଂ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବ। ମାନବ ବିକାଶ ସୂଚକାଙ୍କରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଅର୍ଜନ କରିବ। ଆମ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକଙ୍କ ଇଚ୍ଛା ପ୍ରତିଫଳିତ ହେଉଛି ଏବଂ ହୋଇଚାଲିବ। ୨୦୩୬ ଓ ୨୦୪୭ ର ଓଡ଼ିଶା, ଲୋକମାନଙ୍କ ଇଚ୍ଛା ଓ ସ୍ୱପ୍ନର ଏକ ପ୍ରତିଫଳନ ହେବ।
ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତି ପାଇଁ ସମାଜର ବିଶିଷ୍ଟ ନାଗରିକ, ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ପ୍ରବାସୀ ଓଡ଼ିଆ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମତାମତ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଏବଂ ୬ଟି ସଚିବସ୍ତରୀୟ କମିଟି ଗଠନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଖୁବ୍ ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିଛି। ସାଧାରଣ ଲୋକଙ୍କୁ ଭେଟି, ସେମାନଙ୍କ ସୁଖ ଦୁଃଖ ଶୁଣିବା, ସମାଧାନର ଭରସା ଦେବା, ଆମ ସରକାରଙ୍କ ଆଭିମୁଖ୍ୟର ମୂଳମନ୍ତ୍ର। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମର ଶାସନ ଓ ପ୍ରଶାସନରେ ଏହି ଗଣତାନ୍ତ୍ରିକ ପରମ୍ପରାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।












Click it and Unblock the Notifications