ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ବନ୍ଦ
ସମ୍ବଲପୁର:ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ବନ୍ଦ । ଆସନ୍ତା ୧୭ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସମସ୍ତ ପ୍ରକାର ସୋସିଆଲ ମିଡିଆ ମେସେଜିଂ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ।
ହନୁମାନ ଜୟନ୍ତୀ ପାଳନ ବେଳେ ସହରରେ ଉତ୍ତେଜନା ଦେଖିବା ପାଇଁ ମିଳିଥିଲା । ଯାହା ପରେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଏପରି ପଦକ୍ଷେପ ନିଆଯାଇଛି । ତେବେ ଏହି ହିଂସା କାଣ୍ତ ୧୨ ତାରିଖରୁ ଆରମ୍ଭ ହୋଇଛି । ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁରରେ ଦୁଇଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଗଣ୍ତଗୋଳ ।

ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗତକାଲି ରାତି ୧୨ଟାରୁ ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ ଲାଗୁ ହୋଇଛି କର୍ଫ୍ୟୁ । ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ସକାଳ ୮ଟାରୁ ୧୦ ଟା ଓ ଅପରାହ୍ନ ୩ଟା ୩୦ରୁ ୫ ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ଏହି ସମୟରେ ଆବଶ୍ୟକ ସମାଗ୍ରୀ କିଣିପାରିବେ ଲୋକେ ।
ଏହା ପୂର୍ବରୁ ୧୩ ତାରିଖରୁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଥିଲା । ହେଲେ ପୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ପୁଣି ଇଣ୍ଟରନେଟ ସେବା ଅବଧିକୁ ବୃଦ୍ଧି କରାଯାଇଛି ।












Click it and Unblock the Notifications