ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ, ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ
odisha: ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ, ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର:ଭାରତଛାଡ଼ ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ । ସେତେବେଳେ ଅର୍ଥାତ୍ ୧୯୪୨ ମସିହାରେ ପାପଡ଼ାହାଣ୍ଡି କୋରାପୁଟ ଜିଲ୍ଲାରେ ଥାଏ । ପାପଡ଼ାହାଣ୍ଡି ସ୍ଥିତ ତୁରି ନଦୀ କୂଳରେ ନିରସ୍ତ୍ର ସତ୍ୟଗ୍ରହୀମାନଙ୍କ ଉପରେ ଅଗଷ୍ଟ ୨୪ ତାରିଖରେ ବ୍ରିଟିସ୍ ସରକାର ପକ୍ଷରୁ ଗୁଳିଚାଳନା ହୋଇଥିଲା । ଯାହା ପରେ ଘଟଣାସ୍ଥଳରେ ୧୯ ଜଣଙ୍କ ମୃତଦେହ ମିଳିଥିଲା । ହେଲେ କେତେ ଯେ ଜୀବନ ତୁରି ନଦୀରେ ଭାସିଯାଇଥିଲା ତାହାର ସଠିକ୍ ହିସାବ ନାହିଁ । ପାପଡ଼ାହାଣ୍ଡି ଏବେ ନବରଙ୍ଗପୁର ଜିଲ୍ଲାରେ ।

ତେବେ ଏ ସଂପର୍କରେ ସାମ୍ବାଦିକ, ଐତିହାସିକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ମାନେ ଗବେଷଣା କରିବାର ଆବଶ୍ୟକତା ରହିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶାବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ଜୟଦେବ ଭବନଠରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ । ଏହି ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଯାହା ଯୁବପିଢିଙ୍କୁ ଯାଣିବା ଉଚିତ୍ ।
ସେହିପରି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ ଭାରତଛାଡ଼ ଆନ୍ଦୋଳନର ସ୍ୱର ପାପଡ଼ାହାଣ୍ଡିରେ ତୀବ୍ର ଭାବେ ଗୁଞ୍ଜରିତ ହୋଇଥିଲା । ସେହି ସଂଗ୍ରାମୀମାନଙ୍କ ବଳିଦାନ ପାଇଁ ଆଜି ଆମେ ସ୍ୱାଧୀନତାର ଆନନ୍ଦ ନେଉଛୁ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଓଡ଼ିଶା ରିଭୁ୍ୟ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡ. ଲେନିନ୍ ମହାନ୍ତି ପ୍ରମୁଖ ।
ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ 'ସମ୍ବାଦ'ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ । ସେ ପାପଡ଼ାହାଣ୍ଡିର ତୁରୀ ନଦୀ ତଟରେ ସଂଘଟିତ ଏହି ବର୍ବରୋଚିତ ଗୁଳିକାଣ୍ଡ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଐତିହାସିକମାନେ ଏହି ଗୁଳିକାଣ୍ଡକୁ ଯେତେ ଗୁରୁତ୍ୱ ଦେବା କଥା ସେତିକି ଦେଇନାହାନ୍ତି ବୋଲି ମଧ୍ୟ କହିଥିଲେ ଅରବିନ୍ଦ ଦାସ । ଗୁଳିଚାଳନାରେ ୧୯ ଜଣ ନୁହେଁ, ବରଂ ୪୩ ଜଣ ଶହୀଦ ହୋଇଥିଲେ ସେଥିପାଇଁ ଏହି ସ୍ଥାନକୁ ରକ୍ତତୀର୍ଥ ପାପଡ଼ାହାଣ୍ଡି ବୋଲି ମଧ୍ୟ କୁହାଯାଏ। ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଥିଲେ ଅରବିନ୍ଦ ଦାସ ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସ୍ୱାଗତ ଭାଷଣ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆତ୍ମୋତ୍ସର୍ଗ ବଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତା ପାଇଛେ ବୋଲି ପ୍ରକାଶ କରିଥିଲେ। ଶାବରୀ ସାଂସ୍କୃତିକ ସଂସଦର ଉପସଭାପତି ଶ୍ରୀ ଗୌରଚନ୍ଦ୍ର ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶେଷରେ କାକିରିଗୁମା, କୋରାପୁଟର କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ଜନଜାତି ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା।












Click it and Unblock the Notifications