ଆଜି ୩ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର; ଅପରାହ୍ନ ୨ଟାରୁ ୫ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ । ବନ୍ଦ ରହିବ ସାଧାରଣ ଦର୍ଶନ । ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ବନ୍ଦ ରହିବ ଦର୍ଶନ। ଆପାତତଃ ୨ଟାରୁ ୫ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଯାହାକୁ ରୁକ୍ମଣୀ ହରଣ ଏକାଦଶୀ ବୋଲି କୁହାଯାଏ । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ । ଏଥିପାଇଁ ମା'ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ ।
ତେଣୁ ଏହି ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ବିଧି ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମଣୀ ରୂପୀ ମା'ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ମଧ୍ୟ ଅନୁଷ୍ଠିତ ହେବ।

ସେପଟେ ଚାରିଦ୍ବାର ଖୋଲିବା ପରେ ଏବେ ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ। ଗତ ତିନି ଦିନ ଧରି ରଜ ସାଙ୍ଗକୁ ସପ୍ତାହାନ୍ତ ଛୁଟି କାରଣରୁ ପୁରୀ ପାଲଟିଛି ଜନସମୁଦ୍ର। ଶ୍ରୀଜୀଉଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ପୁରୀରେ ବଢୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ବଡ଼ ଆହ୍ବାନ। ଏ ଦିଗରେ ଠୋସ୍ ପଦକ୍ଷେପ ନେଉଛନ୍ତି ଓଡ଼ିଶାର ବିଜେପି ସରକାର । ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଦିନକ ପରେ ପୁଣି ଏହା ଉପରେ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗକୁ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା। ପୁରୀରେ ବହୁଗୁଣିତ ହେବ ଭକ୍ତଙ୍କ ଭିଡ଼ । ପୁରୀ ସର୍କିଟ୍ ହାଉସରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଇନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।












Click it and Unblock the Notifications