ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାତ୍ୟା ସମୀକ୍ଷା; ବୈଠକରେ SRC, କୃଷି ସଚିବ ଓ ଅଗ୍ନିଶମ ଡିଜି ଉପସ୍ଥିତ
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାତ୍ୟା ସମୀକ୍ଷା। ବୈଠକରେ SRC, କୃଷି ସଚିବ ଓ ଅଗ୍ନିଶମ ଡିଜି ଉପସ୍ଥିତ ।ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ।
ସ୍ପଷ୍ଟ ହୋଇଛି ବାତ୍ୟା 'ମୋନ୍ଥା'ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ 'ମୋନ୍ଥା' ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବ। ଏହାର ପ୍ରଭାବରେ ୨୭ ତାରିଖ ସୋମବାରଠାରୁ ୪ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦରରେ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି। ଏପରିକି ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ ସୋମବାର ସକାଳୁ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ବାତ୍ୟା ତାର ପ୍ରାକ ପ୍ରଭାବ ଦେଖାଇବା ଆରମ୍ଭ କରିଦେଇଛି। ଏଭଳିସ୍ଥତିରେ ସମୁଦ୍ର ମଝିରେ ଏକ ମାଛ ଧରା ବୋଟ ଫସି ରହିଥିବା ସୂଚନା ମିଳିଛି।
ବାରମ୍ବାର ସତର୍କତା ପରେ ମଧ୍ୟ ଏଭଳି ଘଟଣା ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ତୁରନ୍ତ ଫସି ରହିଥିବା ବୋଟକୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ଜିଲାକୁ ବାତ୍ୟା ଓ ବର୍ଷା ଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରକୋପ ୧୫ ଜିଲା ଉପରେ ଅଧିକ ରହୁଥିବାରୁ ସେଠାରେ ସଜାଗ ରହିବାକୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications