ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ମିଳିବ ପୁନଃ ନିଯୁକ୍ତି,ଅବଗତ କଲା ଗୃହ ବିଭାଗ
ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ। ଅବସରପ୍ରାପ୍ତ ଏଏସ୍ଆଇ/ଏସ୍ଆଇ/ଇନ୍ସିପେକ୍ଟରଙ୍କୁ ଏହି ନିଯୁକ୍ତି ମିଳିବ । ସେମାନେ ସ୍ପେସାଲ୍ ପୁଲିସ ଅଫିସର୍(ଏସ୍ପିଓ) ଭାବେ କାର୍ଯ୍ୟ କରିବେ । ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ନେଇ ଆଜି ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଅବଗତ କରାଯାଇଛି । ଗୋଟିଏ ପଟେ ସରକାର ଅବସର ପରେ ନିଯୁକ୍ତିକୁ ମନା କରୁଥିଲା ବେଳେ ପୁଲିସ ବିଭାଗ ପରି ଏକ ସମ୍ବେଦନଶୀଳ ବିଭାଗରେ ଏକାଥରେ ୮୦୦ ଅବସରପ୍ରାପ୍ତଙ୍କୁ ଥଇଥାନ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୁନଃନିଯୁକ୍ତି ପାଇବାକୁ ଥିବା ପୁଲିସ ଅଧିକାରୀଙ୍କ ବୟସର ୬୫ ବର୍ଷ ଭିତରେ ହୋଇଥିବ। ଚାକିରି ସମୟରେ ସେମାନଙ୍କ ସର୍ଭିସ୍ ରେକର୍ଡ ଭଲ ଥିବ ଓ ଶାରୀରିକ ଭାବେ ଫିଟ୍ ହୋଇଥିବେ। ଅବସର ପୂର୍ବର ୫ ବର୍ଷରେ ତାଙ୍କର ସିସିଆର୍ ଭଲ ଥିବ। ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରି ନଥିବେ। ଏକ ବର୍ଷ ପାଇଁ ଏହି ନିଯୁକ୍ତି ମିଳିବ। ପୁଲିସ ଡିଜି ଏକ ସିଲେକ୍ସନ୍ କମିଟି ଗଠନ କରି ଏହି ନିଯୁକ୍ତି ଦେବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ପୁଲିସ୍ ଏସ୍ଆଇ ପରୀକ୍ଷାରେ ବିଭ୍ରାଟକୁ ନେଇ ଆଶାୟୀ ହତାଶ ହୋଇପଡ଼ିଛନ୍ତି। ଦୁଇ ଦୁଇ ଥର ଏହି ପରୀକ୍ଷା ବାତିଲ୍ ହୋଇସାରିଲାଣି। କେବେ ପରୀକ୍ଷା ହେବ, ତାହାର ଉତ୍ତର କାହା ପାଖରେ ନାହିଁ। ଏପରି ସ୍ଥିତିରେ ପୁଣି ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଥଇଥାନ ପାଇଁ ସରକାରଙ୍କ ନିଷ୍ପତ୍ତି ଆଶାୟୀମାନଙ୍କୁ ହତାଶା ଭିତରକୁ ଠେଲି ଦେଇଛି।












Click it and Unblock the Notifications