Republic Day 2025: ଗାନ୍ଧୀ ମାର୍ଗରେ ଉଡିଲା ତ୍ରିରଙ୍ଗା, ପ୍ରଜ୍ଞାପନ ମେଢରେ ଉତ୍କଳୀୟ ଐତିହ୍ୟ ସଂସ୍କୃତି ଝଲକ
ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ନୀଳ ଆକାଶରେ ଫର ଫର ଉଡି ନିଜ ଦେଶର ଗାଥା ଗାଉଛି ତ୍ରିରଙ୍ଗ ପତାକା । ରାଜଧାନୀ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ହରି ବାବୁ କମ୍ଭମପତି ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି ।
ପରେଡରେ 43ଟି କଣ୍ଟିଜେଣ୍ଟ:
ଚଳିତ ବର୍ଷ ପରେଡରେ 43ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ଯୁବ IPS ଭୋସଲେ ଶୁଭମ ସଞ୍ଜୟଙ୍କ ନେତୃତ୍ୱରେ ପରେଡ ଆରମ୍ଭ ହୋଇଥିଲା । ପଡୋଶୀ ରାଜ୍ୟର ଝାଡଖଣ୍ଡ ପୋଲିସ ଅତିଥି ଭାବେ ପରେଡରେ ସାମିଲ ହୋଇ ପରେଡ ପ୍ରଦର୍ଶନ କରିଛନ୍ତି । ସେହିପରି କେନ୍ଦ୍ରୀୟ ଫୋର୍ସ 120 ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ସହ ରାଜ୍ୟର ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଓଆଇଏସଫ,ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏପି, ଓଡ୍ରାଫ, ଓଆଇଏସଫ, ଅଗ୍ନିଶମ ବିଭାଗ, ହୋମଗାର୍ଡ, ସିଭିଲ ଡିଫେନ୍ସ ପୁରୁଷ, ସିଭିଲ ଡିଫେନ୍ସ ମହିଳା ପ୍ଲାଟୁନ, ଏନସିସି ସିନିଅର ଡିଭିଜନ ଓଡ଼ିଶା ବାଳକ, ଏନସିସି ସିନିଅର ଡିଭିଜନ ଓଡ଼ିଶା ବାଳିକା, ସୈନିକ ସ୍କୁଲ ବ୍ୟାଣ୍ଡ୍ ଓ ଅନେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ମହର୍ଷି ଡେୟାର ଡେଭିଲସର ସ୍ବତନ୍ତ୍ର ଟିମ ଗାନ୍ଧୀମାର୍ଗରେ ପରେଡ ପ୍ରଦର୍ଶନ କରିଥିଲେ ।

ଗାନ୍ଧୀ ମାର୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ:
ଓଡ଼ିଶାର ସଂସ୍କୃତି, ଲୋକନୃତ୍ୟକୁ ପୁଣି ଉଜ୍ଜୀବିତ କରିଥିଲା ସାଧାରଣତନ୍ତ୍ର ଦିବସ ଅବସରରେ ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ । ବିଭିନ୍ନ ଜିଲ୍ଲାର ନୃତ୍ୟ ଗୀତ ପ୍ରଦର୍ଶନ ହେବା ସହ ସ୍କେଟିଂ, ବାଇକ ଷ୍ଟଣ୍ଟ ପ୍ରମୁଖ ରାଜ୍ୟର ଐତିହ୍ୟ ଓ ସାହସିକତାକୁ ପ୍ରଦର୍ଶନ କରିଥିଲା । ଉତ୍କଳୀୟ ସଂସ୍କୃତିର ଅନ୍ୟତମ ଘୋଡାନାଚ, ରାୟଗଡାର ଢେମସା ନୃତ୍ୟ,କେନ୍ଦୁଝରର ଆଦିବାସୀ ନୃତ୍ୟ, ଓଡିଶା ସ୍କେଟିଂ ଏକାଡେମୀ ଦେଶାତ୍ମକ ସଙ୍ଗୀତରେ କୁନିକୁନି ପିଲାଙ୍କ ନୃତ୍ୟ, ଆରୀୟନ ରୋୟାଲ ସ୍ପୋର୍ଟସ ଏକାଡେମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ ନାଚ ପ୍ରମୁଖ ଅତିଥି ତଥା ଉପସ୍ଥିତ ସମସ୍ତ ଜନତାଙ୍କ ଧ୍ୟାନ ଆକର୍ଷଣ କରିଥିଲା ।
୧୨ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ:
ଗାନ୍ଧୀ ମାର୍ଗରେ ପ୍ରଥମେ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଥିମ ସହ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ଏହାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ 'ଆୟୁଷ୍ମାନ ଆରୋଗ୍ୟ ମନ୍ଦିର' ଥିମରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ 'ବିଦ୍ୟାବନ୍ତ ବିଦ୍ୟାର୍ଥୀ ବିକଶିତ ଓଡ଼ିଶା' ଥିମରେ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ସେହିପରି କଳାର ଏକତାର ସୁତ୍ରରେ ବାନ୍ଧି ରଖିଥିବା ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିଥିଲା । ଏହି ମେଢରେ ୧୫ଟି ଜିଆଇ ଟ୍ୟାଗ ମାନ୍ୟତା ପ୍ରାପ୍ତ ସାମଗ୍ରୀକୁ ଦେଖାଯାଇଥିଲା ।
ସେହିପରି ମିଶନ ଶକ୍ତି ବିଭାଗ ପକ୍ଷରୁ 'ଲକ୍ଷପତି ଦିଦି' ଥିମ୍, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 'ସମୃଦ୍ଧ କୃଷକ ଯୋଜନା', ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଦର୍ଶିତ କରିଥିଲା ।
ଅନ୍ୟପଟେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ବିକଶିତ ଓଡ଼ିଶାର ମେଟ୍ରୋ ଟ୍ରେନ, ମୋ ବସ ଭଳି ଯୋଜନାକୁ ନିଜ ପ୍ରଜ୍ଞାପନ ମେଢରେ ସାମିଲ କରିଥିଲା । ଦକ୍ଷତା ବିକାଶ ବିଭାଗ 'ଦକ୍ଷ ଓଡ଼ିଶା ବିକଶିତ ଓଡ଼ିଶା' ଥିମ ସହ ଓ ପର୍ଯ୍ୟଟନ ବିଭାଗ, ରଘୁରାଜପୁର ଗ୍ରାମର ଐତିହ୍ୟ କାରିଗରୀ ପଟ୍ଟଚିତ୍ର ଓ ଗୋଟି ପୁଅ, ଇକୋ ରିଟ୍ରିଟକୁ ନିଜ ପ୍ରଜ୍ଞାପନ ମେଢରେ ପ୍ରଦର୍ଶନ କରିଥିଲା । ବାଣିଜ୍ୟ ଓ ପରିବହନ ବିଭାଗ, ପରିବର୍ତ୍ତନଶୀଳ ଯାତ୍ରାକୁ ଐତିହ୍ୟ ସଂସ୍କୃତିକୁ ଗାନ୍ଧୀ ମାର୍ଗରେ ନିଜର ପ୍ରଜ୍ଞାପନ ମେଢରେ ସ୍ଥାନ ଦେଇଥିଲା । ସେହିଭଳି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରଜ୍ଞାପନ ମେଢ 'ମହାସାଗରରୁ ଟେବୁଲ ପର୍ଯ୍ୟନ୍ତ- ଓଡ଼ିଶା ଚିଙ୍ଗୁଡିର ଯାତ୍ରା' ଥିମ ଦର୍ଶାଇଥିଲା ।












Click it and Unblock the Notifications