Republic Day 2025: ଇତିହାସ ରଚିବ ଓଡିଶା ଏନସିସି: ସାଧାରଣତନ୍ତ୍ର ଦିବସ ପରେଡ଼କୁ ବିମାନରେ ଯାତ୍ରା କରିବେ ଏନସିସି କ୍ୟାଡ଼େଟ୍
ଇତିହାସ ରଚିବ ଓଡିଶା । ୭୫ ବର୍ଷରେ ପ୍ରଥମ ଥର ସାଧାରଣତନ୍ତ୍ର ଦିବସ ପରେଡ଼କୁ ବିମାନ ଯୋଗେ ଯାତ୍ରା କରିବେ ଏନସିସି କ୍ୟାଡ଼େଟ୍ । ଓଡିଶା ଏନସିସିର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ମନୋନୀତ ଏନସିସି କ୍ୟାଡେଟ୍ ମାନେ ବିମାନ ଯୋଗେ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଯୋଗ ଦେବାକୁ ନୂଆଦିଲ୍ଲୀ ଯାତ୍ରା କରିବେ । ଏହି ଐତିହାସିକ ଯାତ୍ରା ଦ୍ବାରା ଦେଶର ତୃତୀୟ ରାଜ୍ୟ ଭାବରେ ଆମ ରାଜ୍ୟ ପରିଗଣିତ ହେବ ।
ସୁବର୍ଣ୍ଣ ଭାରତ: ଐତିହ୍ୟ ଏବଂ ବିକାଶ" ବିଷୟବସ୍ତୁ ଉପରେ ଆଧାରିତ ଚଳିତ ବର୍ଷର ଗଣତନ୍ତ୍ର ଦିବସ କ୍ୟାଡେଟମାନଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା, ଅନୁଶାସନ, ନେତୃତ୍ୱଗୁଣ, ଭାତୃତ୍ଵଭାବ, ଦେଶପ୍ରେମର ଭାବ ଜାଗ୍ରତ କରିବ । ଚଳିତବର୍ଷ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଦ୍ଵାରା ତାଲିମ୍ ଶିବିରର ଅୟୋଜନ କରାଯାଇ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାର ୬୩,୦୦୦ ଏନସିସି କ୍ୟାଡେଟ୍ ମାନଙ୍କ ମଧ୍ୟରୁ ୧୨୭ ଜଣଙ୍କୁ ଗଣତନ୍ତ୍ର ଦିବସ ପରେଡ଼ରେ ଯୋଗଦେବା ପାଇଁ ମନୋନୀତ କରାଯାଇଛି ।
ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସାମରିକ ଦକ୍ଷତାର ଏକ ସଂପୂର୍ଣ୍ଣ ମିଶ୍ରଣକୁ ବହନ କରି ଚଳିତ ବର୍ଷ ଦିଲ୍ଲୀର ରାଜପଥରେ ହେବାକୁ ଥିବା ୭୬ ତମ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ନିର୍ଦ୍ଦେଶାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) କଣ୍ଟିଜେଣ୍ଟ ରାଜ୍ୟର ପ୍ରତିନିଧିତ୍ୱ କରିବ ।

ଦୀର୍ଘ ୩୦ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ ସେମାନଙ୍କୁ ଡ୍ରିଲ୍, ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା, ଜାତୀୟ ଏକୀକରଣ ସଚେତନତା କାର୍ଯ୍ୟକ୍ରମ , ଫ୍ଲାଗ ଏରିଆ ପ୍ରତିଯୋଗିତା ପାଇଁ ତାଲିମ୍ ଦିଆଯାଉଛି । ଓଡ଼ିଶା ଏନସିସି କଣ୍ଟିଜେଣ୍ଟ କେବଳ ରାଜ୍ୟର କଳା, ସଂସ୍କୃତିର ଉତ୍କର୍ଷତାକୁ ପ୍ରତିନିଧିତ୍ୱ କରିବ ନାହିଁ ବରଂ ଏହାର ଆମର ସମୃଦ୍ଧ ପରମ୍ପରାକୁ ଦିଲ୍ଲୀର ରାଜପଥରେ ପ୍ରତିଫଳିତ କରିବ ।
ଯୁବ କ୍ୟାଡେଟ୍ ମାନଙ୍କର ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହିତ କରିବା ସହ ଯୁବ ସଶକ୍ତିକରଣ ଦିଗରେ ରାଜ୍ୟ ସରକାର ଓ ଏନସିସି ନିର୍ଦ୍ଦେଶାଳୟର ଉଦ୍ୟମ ବେଶ୍ ପ୍ରଶଂସନୀୟ ହୋଇପାରିଛି । ଏହି କ୍ୟାଡେଟ୍ ମାନେ ପ୍ରଧାନମନ୍ତ୍ରୀଙ୍କ ରାଲି ତଥା ସାଂସ୍କୃତିକ ପ୍ରତିଯୋଗିତା ସମେତ ଅନେକ ସମ୍ମାନଜନକ କାର୍ଯ୍ୟକ୍ରମରେ ଶୃଙ୍ଖଳିତ ଭାବରେ ଅଂଶଗ୍ରହଣ କରିବେ ଏବଂ ଓଡିଶାକୁ ଜାତୀୟ ସ୍ତରରେ ଗୌରବାନ୍ୱିତ କରିବେ ବୋଲି କଟକ ଗ୍ରୁପ ଏନସିସିର ଗ୍ରୁପ୍ କମାଣ୍ଡର ତଥା ମୁଖ୍ୟ ଚୟନ ଅଧିକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଡିସେମ୍ବର ୨୪ ତାରିଖରେ ଉତ୍କଳ ଅଡିଟୋରିୟମରେ ଏନସିସି କ୍ୟାଡେଟମାନଙ୍କ ଦ୍ଵାରା ରାଜ୍ୟର କଳା , ସଂସ୍କୃତି, ପରମ୍ପରା ଓ ପ୍ରତିଭା ଭିତ୍ତିକ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ ହେବ ।












Click it and Unblock the Notifications