ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ ଅପସାରଣ: ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସ୍ରୁ ଅପସାରଣ
ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ ଅପସାରଣ। ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସ୍ରୁ ଅପସାରଣ କରାଗଲା ।ଅପସାରଣ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟୁଇଟ୍ ।

ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ଆଣିଥିବା ଅଭିଯୋଗର ତଦନ୍ତ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏହି ମାମଲାର ତଦନ୍ତ ନିମନ୍ତେ ଏକ ୩ ଜଣିଆ ତଦନ୍ତକାରୀ ଟିମ୍ ଗଠନ ହୋଇଛି। ଏହି ଟିମ୍ ଆଜି ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତଦନ୍ତକାରୀ ଟିମ୍ରେ ତହସିଲଦାର ପ୍ରଜ୍ଞାପାରମିତା ପୃଷ୍ଟି, ସ୍ଥାନୀୟ ମେଡ଼ିକାଲ୍ ଅଫିସର ଚିତ୍ତରଞ୍ଜନ ବେହେରା ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଅଛନ୍ତି। ଚିତ୍ତରଞ୍ଜନ ବେହେରା ଜଣେ ବିବାଦୀୟ ଡାକ୍ତର ହୋଇଥିବା ବେଳେ ତାଙ୍କ ନାଁରେ ୮ଟି ମାମଲା ରହିଛି। ତେଣୁ ତାଙ୍କୁ ତଦନ୍ତକାରୀ ଟିମ୍ରେ ସାମିଲ କରାଯାଇଥିବା ବେଳେ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ସମୟରେ ଅନ୍ୟ ଜଣେ ମହିଳା ପହଞ୍ଚି ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ଦେବା ନିମନ୍ତେ ସିଡିପିଓ ତାଙ୍କୁ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିବା କହିଛନ୍ତି। ଚାକିରି ଲୋଭରେ ସେ ତାଙ୍କୁ ୯୦ ହଜାର ପାଖାପାଖି ଦେଇଥିଲେ ବି ସିଡିପିଓ ଆଉ ଧରାଛୁଆଁ ଦେଲେନି ବୋଲି କହିଛନ୍ତି ।
ସନ୍ଧ୍ୟାରାଣୀ ଲେଙ୍କା ନାମ୍ନୀ ମହିଳା କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କୁ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ଦେବାର ଲୋଭ ଦେଖାଇ ସିଡିପିଓ ତାଙ୍କୁ ଲକ୍ଷେ ଟଙ୍କା ମାଗିଥିଲେ। ଏପରିକି ଆଇନ୍ ଜାଲରୁ ବଞ୍ଚିବା ନିମନ୍ତେ ହରିପୁର ଅଙ୍ଗନୱାଡି କର୍ମୀ ମଧୁସ୍ମିତା ବିଶ୍ୱାଳ ମାଧ୍ୟମରେ ଟଙ୍କା ପଠାଇବାକୁ କହିଥିଲେ।
ତେଣୁ ଚାକିରି ଆଶାରେ ମଧୁସ୍ମିତା ବିଶ୍ୱାଳଙ୍କ ଆକାଉଣ୍ଟକୁ ୮୯ ହଜାର ୪ଶହ ଟଙ୍କା ପଠାଇଥିବା କହିଛନ୍ତି ସନ୍ଧ୍ୟାରାଣୀ । ମାତ୍ର ଏହାପରେ ସିଡିପିଓ ଆଉ ତାଙ୍କୁ ଧରାଛୁଆଁ ଦେଉ ନାହାନ୍ତି। ଏପରିକି ଚାକିରି ନାଁ ଧରୁ ନ ଥିବା ବେଳେ ଟଙ୍କା ବି ଫେରାଉ ନ ଥିବା ସେ କହିଛନ୍ତି ।
ଗତକାଲି ମହିଳା କିରାଣି ବର୍ଷା ସିଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାକୁ ସମଗ୍ର ରାଜ୍ୟରେ ନିନ୍ଦା କରାଯାଇଥିଲା। ବର୍ଷା ଅଭିଯୋଗ କରିଥିଲେ ଯେ, ଗତ ୨୫ ତାରିଖରେ ଅଫିସରେ ଥିବା ବେଳେ ତାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ତେବେ ସିଡିପିଓ ତାଙ୍କୁ ମେଡିକାଲ ଛାଡିବା ତ ଦୂରର କଥା ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।












Click it and Unblock the Notifications