ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ଡାର SOP ସ୍ପଷ୍ଟ ହେବ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଆଜି କିମ୍ବା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର SOP। ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ଓ ତାହା ଲୋକଙ୍କୁ ଜଣାଯିବ।
ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଥିଲେ, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ମୋହର ମାରିଛି ପରିଚାଳନା କମିଟି ।
ପରିଚାଳନା କମିଟିର ବୈଠକରେ ହୋଇଥିବା ସୁପାରିଶ ସରକାରଙ୍କ ପାଖରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯିବ । ଯେଉଁ ଏସଓପି ସୁପାରିଶ ଆସିବ ତାହାକୁ ନେଇ ବିଭିନ୍ନ ଦିଗରେ ତର୍ଜମା କରାଯିବା ପରେ ନିଷ୍ପତ୍ତି ନିଆଯିବ ।

ସବୁଠୁ ବଡ କଥା ହେଲା, ନୀତିକାନ୍ତି ସହ ଖାପଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ । ଯାଞ୍ଚ କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛି ସେ ତାରିଖ ପ୍ରାୟତଃ ସ୍ପଷ୍ଟ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ସୂଚନା ଯୋଗ୍ୟ, ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଚାବି କାମ କରୁ କି ନକରୁ ରତ୍ନଭଣ୍ଡାର ଖୋଲାଯିବ ବୋଲି କହିଥିଲେ ଯାଞ୍ଚ କମିଟିର ଅଧ୍ୟକ୍ଷ । ପରେ ପରିଚାଳନା କମିଟି ବୈଠକରେ ମଧ୍ୟ ଯାଞ୍ଚ କମିଟିର ପ୍ରସ୍ତାବ ଉପରେ ମୋହର ବାଜିଥିଲା ।
କେତେ ଅଳଙ୍କାର ଥିଲା ?
୧୮୦୫ରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲସ୍ ଗ୍ରୋମ୍ ରତ୍ନଭଣ୍ଡାରର ସମ୍ପଦ, ରତ୍ନ ସହ ଅଳଙ୍କାରର ବିସ୍ତୃତ ତାଲିକା କରାଇଥିଲେ । ସେହି ସମୟରେ ୭୪ ପ୍ରକାର ଅଳଙ୍କାର ସହିତ ମୋଟ ୧୩ଶହ ୩୩ଟି ଦ୍ରବ୍ୟ ଥିଲା । ସେହିପରି ୧୨୮ଟି ସ୍ୱର୍ଣ୍ଣମୁଦ୍ରା, ୧୨ଶହ ୯୭ଟି ରୌପ୍ୟମୁଦ୍ରା, ୧୦୬ଟି ତାମ୍ରମୁଦ୍ରା ଓ ୨୪ଟି ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା ଥିବା ଦର୍ଶା ଯାଇଥିଲା । ଏହାପରେ ୧୯୭୮ରେ ୭୧ ଦିନ ଧରି ପ୍ରସ୍ତୁତ କରାଯାଇଥିଲା ଆଉ ଏକ ତାଲିକା । ୩ ଶ୍ରେଣୀର ଅଳଙ୍କାର ଥିବା ରତ୍ନଭଣ୍ଡାରରେ ସେତେବେଳେ ମୋଟ୍ ୪୫୪ ପ୍ରକାରର ୧୨, ୮୮୩ ଭରିର ସୁନା ଅଳଙ୍କାର, ୨୯୩ ପ୍ରକାରର ୨୨, ୧୫୩ ଭରିର ରୂପା ଅଳଙ୍କାର ଥିଲା ।
ସେହିପରି ଆଡପ ମଣ୍ଡପକୁ ଶ୍ରୀବଳଭଦ୍ର ପହଣ୍ଡିରେ ଯିବାବେଳେ ତଳେ ପଡିଯିବା ଘଟଣାରେ ମନ୍ତ୍ରୀ କହିଛନ୍ତି ଅଘଟଣାର ଅôଧକ ତଦନ୍ତ ହେବ । ଏହି ଘଟଣାରେ ଗୋଟିଏ ପଦକ୍ଷେପ ଗତକାଲି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଅନୁସାରେ ଶ୍ରୀବଳଭଦ୍ର ପହଣ୍ଡି ବେଳେ ପଡିଯିବା ଅଘଟଣ ଘଟିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହଟାଇ ଦିଆଯାଇଛି ।












Click it and Unblock the Notifications