ଲକ୍ଷ୍ମୀଙ୍କ ବାରରେ ଖୋଲିବ ରତ୍ନଭଣ୍ଡାର; ଆସନ୍ତାକାଲି ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ
ଲକ୍ଷ୍ମୀଙ୍କ ବାରରେ ଖୋଲିବ ରତ୍ନଭଣ୍ଡାର । ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର । ଏଥିପାଇଁ ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ଧାର୍ଯ୍ୟ କରାଯାଇଛି । ଏହି ସମୟରେ ଭିତର ରତ୍ନଭଣ୍ଡାର ଖୋଲି ପ୍ରବେଶ କରିବ ଟିମ୍ । ପ୍ରବେଶ କରିବା ପରେ ଜିନିଷ ପତ୍ରଗୁଡିକୁ ଆଖିରେ ଦେଖିବେ ପରେ ଅଳଙ୍କାରଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଭିତର ରତ୍ନଭଣ୍ଡାରର ୩ଟି ତାଲା ଭଙ୍ଗା ଯାଇଥିଲେ ବି ୨ଟି ତାଲା ପକାଇ ଚାବିକୁ ଟ୍ରେଜେରୀ ଜିମା ଦିଆଯାଇଛି। ଆସନ୍ତା ଗୁରୁବାର ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଭିତର ଭଣ୍ଡାର ଖୋଲାଯିବ ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ଆସନ୍ତା ୧୮ ତାରିଖ ଗୁରୁବାର ଖୋଲାଯିବ ଭିତର ରତ୍ନଭଣ୍ଡାର। ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ । ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତର ହେବ। ଭିତରେ ଥିବା ଆଲମିରା ରତ୍ନ ସହ ବାହାରକୁ ଆଣିବା ସମ୍ଭବ ନୁହେଁ ଏଣୁ ନୂଆ ଆଲମିରା ଏବଂ ସିନ୍ଦୁକରେ ରହିବ ଭିତର ରତ୍ନଭଣ୍ଡାର ଅଳଙ୍କାର।
ଅନ୍ୟପଟେ ଜଷ୍ଟିସ ବିଶ୍ବନାଥ ରଥ ଆହୁରି ମଧ୍ୟ କହିଛନ୍ତି ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଅସ୍ଥାୟୀ ରତ୍ନଭଣ୍ଡାର 'ଖଟଶେଯ ଘର'କୁ ସ୍ଥାନାନ୍ତରଣ କରାଯିବ । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍ କରାଯିବ । ତାଲାକୁ ଜଉମୁଦ ସିଲ୍ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ।












Click it and Unblock the Notifications