Ratna Bhandar: ରତ୍ନଭଣ୍ଡାରକୁ ଗଲା ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର
ଅସ୍ଥାୟୀ ଭଣ୍ଡାରରୁ ରତ୍ନଭଣ୍ଡାରକୁ ଗଲା ଶ୍ରୀଜିଉଙ୍କ ଅଳଙ୍କାର । ୪ ଘଣ୍ଟା ଧରି ଚାଲିଲା ସ୍ଥାନାନ୍ତରଣ ପ୍ରକ୍ରିୟା । ୯ଟି ଆଲମିରା ଓ ୧୦ରୁ ଅଧିକ ଟ୍ରଙ୍କରେ ରହିଲା ଅଳଙ୍କାର । ତଦାରଖ କମିଟି ଅଧ୍ୟକ୍ଷ କହିଲେ- ସରକାରଙ୍କ ନିର୍ଦ୍ଦେଶ ଆସିଲେ ଗଣତି ମଣତି ।
ଅସ୍ଥାୟୀ ଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାର । ସରକାରଙ୍କ ଏସଓପି ଅନୁସାରେ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ସମସ୍ତ ଅଳଙ୍କାର ନିଆଯାଇଛି ସ୍ଥାୟୀ ରତ୍ନଭଣ୍ଡାର ଭିତରକୁ । ପ୍ରାୟ ୪ ଘଣ୍ଟା କାଳ ଚାଲିଥିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା । ଖଟଶେଯ ଓ ଚାଙ୍ଗଡ଼ା ଘରେ ଥିବା ସମସ୍ତ ଅଳଙ୍କାରକୁ ନିଆଯାଇ ବାହାର ଓ ଭିତର ରତ୍ନଭଣ୍ଡାରରେ ମୋଟ ୯ଟି ଲୁହା ଆଲମିରା ଓ ୧୦ରୁ ଅଧିକ ଟ୍ରଙ୍କରେ ରଖାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିଲେ ରତ୍ନ ଅଳଙ୍କାର ଗଣତିମଣତି କରାଯିବ କହିଛନ୍ତି ହାଇଲେବଲ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।

ସମୟ ସକାଳ ପ୍ରାୟ ୧୦ଟା । ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିରରେ ପ୍ରବେଶ କଲେ ହାଇଲେଭଲ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ, ଏସପି ଏବଂ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ଅଧିକାରୀ ଏବଂ ସେବାୟତ ପ୍ରତିନିଧି । ଶୁଭବେଳା ୧୦ଟା ୫୫ ମିନିଟରେ ଆରମ୍ଭ ହୋଇଥିଲା ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା । ଅସ୍ଥାୟୀ ଭଣ୍ଡାର ତଥା ଖଟଶେଯ ଘରେ ୬ଟି ଆଲମିରାରରେ ଥିବା ସମସ୍ତ ଅଳଙ୍କାରକୁ ଭିତର ରତ୍ନଭଣ୍ଡାରକୁ ନିଆଯାଇଥିଲା । ଏହାପରେ ଚାଙ୍ଗଡ଼ା ଘରେ ଥିବା ଅଳଙ୍କାର ସବୁ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ତାଲା ଖୋଲାଯାଇ ସମସ୍ତ ଅଳଙ୍କାର ରଖାଯାଇଥିଲା । ପ୍ରାୟ ୪ ଘଣ୍ଟା ଧରି ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିଥିଲା । ଶ୍ରୀମନ୍ଦିର ବାହାରକୁ ଆସି ଶ୍ରୀନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସୁରକ୍ଷିତ ଭାବେ ଅଳଙ୍କାର ସ୍ଥାନାନ୍ତର କରାଯାଇଛି।
ଭିତର ଓ ବାହାର ରତ୍ନଭଣ୍ଡାର ମଧ୍ୟରେ ଶ୍ରୀଜିଉଙ୍କ ଅଳଙ୍କାର ସୁରକ୍ଷିତ ଭାବେ ରଖାଯାଇଛି । ଅଳଙ୍କାର ଗଣତି ମଣତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଆସନ୍ତା ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି କହିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସର୍ବସାଧାରଣ ଦର୍ଶନ ସକାଳ ୧୦ଟାରୁ ବନ୍ଦ ରଖାଯାଇଥିଲା । ଶ୍ରୀମନ୍ଦିର ଭିତରେ ଓ ବାହାରେ ମଧ୍ୟ କଡ଼଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅଳଙ୍କାର ସ୍ଥାନାନ୍ତରଣ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା ।












Click it and Unblock the Notifications