ରଥଯାତ୍ରା: କାଲି ସକାଳ ୯ଟାରୁ ଆରମ୍ଭ ହେବ ପହଣ୍ଡି, ଅପରାହ୍ନ ୪ଟାରୁ ଗଡିବ ମହାପ୍ରଭୁଙ୍କ ରଥ
ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ରଥଯାତ୍ରା । ଏଥି ପାଇଁ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି ।

ତେବେ ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି।
ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ୪ଟାରେ ଗଡ଼ିବା ଆରମ୍ଭ କରିବ ।
ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମଙ୍ଗଳବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ। ୬ଟା ୧୦ରେ ମଇଲ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯିବ।












Click it and Unblock the Notifications