ଶେଷ ହେଲା ପହଣ୍ଡି ବିଜେ, ଗଜପତିଙ୍କ ଛେରା ପହଁରା ପରେ ଗଡିବ ତିନି ରଥ
ପୁରୀ: ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ରଥା ରୁଢ ହେଲେ ଶ୍ରୀଜିଉ । କିଛି ସମୟ ପରେ ଛେରା ପହଁରା କରିବେ ଗଜପତି ମହାରାଜା । ଫିଟିବ ଚାରମାଳ । ଯୋଚା ହେବେ ଘୋଡ଼ା । ପରେ ରଥକୁ ଟାଣି ନେବେ ଭକ୍ତ । ଗଡ଼ିବ ତିନି ରଥ ।
ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଆଜି ସକାଳେ ଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଦ୍ୱାରପାଳ, ଗୋପାଳ ବଲ୍ଳଭ ବା ଖେଚୁଡ଼ି ଭୋଗ ଲାଗି ହେବା ଭଳି ନୀତିକାନ୍ତି ଶେଷ ହେବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଥିଲା ।

ତାପରେ ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ଶ୍ରୀବଳ ଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମାତା ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନି ଓ ମର୍ଦ୍ଦଳା, ତୂରୀଭେରୀର ନାଦରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଗହଳି ଲଗେଇ ଆସିଥିଲେ ମହାପ୍ରଭୁା ଟାହିଆ ହଲେଇ ଆସିଥିଲେ କାଳିଆ ଗୋସାଇଁ । ପ୍ରାୟ ୧୨ଟା ବେଳକୁ ପହଣ୍ଡି ଶେଷ ହୋଇଥିଲା।
ପହଣ୍ଡିରେ ଆସି ବଡ଼ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ବିରାଜମାନ ହୋଇଥିବା ବେଳେ ଦେବୀ ସୁଭଦ୍ର ଦେବଦଳନ ଓ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିରାଜମାନ ହୋଇଛନ୍ତି ।
ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ। ସାଢ଼େ ଗୋଟାଏରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ସାଢ଼େ ୨ଟାରୁ ଛେରାପହଁରା ଆରମ୍ଭ ହେବ। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ଶେଷ ହେବ। ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ।












Click it and Unblock the Notifications