ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ସକାଳ ୯ଟାରୁ ସାହାଣମେଲା
ପୁରୀ: ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ। ୧୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ ପରେ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ । ଏଥର ଉଭା ଯାତ୍ରା ପଡୁ ନ ଥିବାରୁ ଭକ୍ତମାନେ ଆସନ୍ତାକାଲି ଗୋଟିଏ ଦିନ ହିଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ।
ତେବେ ଆଜି ଥିଲା ମହାପ୍ରଭୁଙ୍କ ଅଣସରରେ ଅନ୍ତିମ ଦିନ । ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି ଦତ୍ତ ମହାପାତ୍ର ସେବକ ।

ସେପଟେ ପର ଦିନ ଘୋଷଯାତ୍ରା ରହିଥିବାରୁ ଆଜି ରଥଟଣାର ମକଡ୍ରିଲ କରିଛି ପୋଲିସ । ଭିଡ଼ ଭିତରେ ରଥ କିଭଳି ଟଣାଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ସେନେଇ ମକଡ୍ରିଲ ହୋଇଛି । ପୁରୀ ସାହିବାସିନ୍ଦା ଓ ସେବାୟତ ମାନଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ଟ୍ରାଫିକ୍ ପ୍ଲାନ । ଟ୍ରାଫିକ୍ ବ୍ୟବସ୍ଥାକୁ ୧୪ଟି ସେକ୍ଟର ଓ ୨୯ଟି ଯୋନରେ ବିଭକ୍ତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସ୍ ଏବଂ ରେଗୁଲାର ବସ୍ ପାଇଁ ସ୍ୱତନ୍ତ୍ର ରୁଟ୍ ପ୍ଲାନ ହୋଇଛି । ରଥଯାତ୍ରା ସମୟରେ ପୁରୀକୁ ୧୨୫ଟି ସ୍ଵତନ୍ତ୍ର ଟ୍ରେନ୍ ଚାଲିବ ।
ତଟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ହିଟୱେଭ୍ ପ୍ରକୋପ ଜାରି ରହିଥିବା ବେଳେ ରଥଯାତ୍ରା ସମୟରେ ସମସ୍ତ ପୋଲିସଙ୍କ ପାଖରେ ମହଜୁଦ ରହିବ ପାଣି ଓ ଓଆରଏସ୍ ।
ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ସମୟରେ ପ୍ରବଳ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ୫୦ ଲକ୍ଷ ପାଣି ବୋତଲ ବଣ୍ଟାଯିବା ସହ ଜଳ ସିଞ୍ଚନ, ୱାଟର ସ୍ପ୍ରେୟାର ସହ ଅନ୍ୟାନ୍ୟ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।












Click it and Unblock the Notifications