ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଓଷୁଅ
ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଚାଲିଛି ଗୁପ୍ତ ସେବା ।
ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଚାଲିଛି ଗୁପ୍ତ ସେବା । ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜିଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷୁଅ ଲାଗି ହେବା ।

ଆଜି ମଧ୍ୟାହ୍ନ ଧୂପ ପରେ ସୁଦ୍ଧଶୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଇବେ। ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷୁଅ ଲାଗି କରାଯିବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ।
ସେପଟେ ରଥଖଳାରେ ରଥର୍ନିମାଣ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରଥରେ ପଡ଼ ପୋଟଳ ଉଠି ସାରିଛି । ବିଶ୍ୱକର୍ମାମାନେ କଳସ ତିଆରି ସାରିଛନ୍ତି । ଦୁଆରଘଡ଼ାର ଅଂଶ ଚନ୍ଦ୍ରଶାଳି ତିଆରି ସରିଛି । ରଥରେ କତରା ଫିଟିଂ ହୋଇଛି । କୋଣଗୁଜ ଓ ଦଣ୍ଡାରେ ପିଟା ଯାଇଛି କତରା । ୩ ରଥରେ ୪ଟି ଲେଖାଏଁ କତରା ଲାଗିଛି । ଏଥିସହ ତାଗ ବାଡ଼ିଆ ଯାଇ ସେଥିରେ ପଟା କାର୍ଯ୍ୟ ଜାରି ରଖିଛନ୍ତି ବିଶ୍ୱକର୍ମା ।
ତିନିରଥର ଖପୁରି ଏବଂ ପାରାଭାଡ଼ିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡ଼ିଥାଏ । ସେଥିମଧ୍ୟରୁ ତିନିରଥର 'ବଡ଼ଧରା' ପୋଟଳ ପଡ଼ିଛି । ତିନିରଥର ସମ୍ମୁଖ ଭାଗ ବ୍ୟତୀତ ଅନ୍ୟ ୩ ପାର୍ଶ୍ଵରେ ବଟନ ବାଡ଼ିଆ ଶେଷ ହୋଇଛି । ଏହାପରେ ବେଦି ଚାରିପଟେ ପଟା ପକାଯିବ । ଏଥିସହ ତିନିରଥର ନାହାକା କଇଁଛି ଦୁଇଟି ଲେଖାଏଁ ଉଭୟ ପାର୍ଶ୍ଵରେ ପଡ଼ିଛି । ତିନି ରଥର ୨ଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇ ରଥ ନିକଟରେ ସାଇତା ଯାଇଛି । ଏହି କତରା ରଥତ୍ରୟରେ ଫିଟିଙ୍ଗ କରାଯିବ। ତିନିରଥର ୮ଟି ଲେଖାଏଁ ମଗର ମୁଖପଟା ନିର୍ମାଣ ସରିଛି । ତିନି ରଥର ଚାର ପରିଚ୍ଛା ନିର୍ମାଣ ଶେଷ ପରେ ରୂପକାର ସେବକମାନେ ସେଥିରେ ଡାଳି ଲତା ଏବଂ ପଦ୍ମପାଖୁଡା ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।












Click it and Unblock the Notifications