ରଥଖଳା ଖବର: ଚାରିନାହାକା କାମ ଆରମ୍ଭ, ଶୀତଳ ଷଷ୍ଠୀ ପୂର୍ବରୁ ସଂଯୋଗ ହେବ ୪୨ ଚକ
ପାଖେଇ ଆସୁଛି ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଫଳରେ ଚଳଚଞ୍ଚଳ ହୋଇପଡିଛି ରଥକଳା । ତିନିରଥର ମୋଟ ୪୨ଟି ଚକରୁ ୩୯ଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଫଳରେ ଚଳଚଞ୍ଚଳ ହୋଇପଡିଛି ରଥକଳା । ତିନିରଥର ମୋଟ ୪୨ଟି ଚକରୁ ୩୯ଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତିନିରଥର ଆଉ ୩ଟି ଚକ ନିର୍ମାଣ ବାକି ରହିଛି । ଉକ୍ତ ୩ଟି ଚକ ପାଇଁ ୧୬ଟି ଲେଖାଏଁ ଅର ପଟାରେ ଅର କାର୍ଯ୍ୟ ସରିଛି । ଏଥିସହ ୧୨ଟି ପଇ କଟକ ସ' ମିଲ୍ରୁ ଆସିବା ପରେ ପଇବିନ୍ଦ ହେଲେ ସମ୍ପୂର୍ଣ୍ଣ ଚକ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ।

ତିନି ରଥରେ ଚାଲିଛି ନାହାକା ନିର୍ମାଣ କାର୍ଯ୍ୟ । ତିନି ରଥର ମୋଟ ୪୨ଟି ଚକ ନିର୍ମାଣ ହେବାକୁ ଥିବାବେଳେ ପରମ୍ପରା ଅନୁଯାୟୀ ମଙ୍ଗଳବାର ଭୋଇ ସେବକମାନେ ମା' ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା କରିବା ପରେ ରଥଚକ ନିର୍ମାଣ ସରିବ। ଚକ ନିର୍ମାଣ ପାଇଁ ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି। ସେହିପରି ତିନି ରଥର ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବାବେଳେ ରୂପକାର ସେବକମାନେ ଗୁଜଗୁଡିକରେ ଖୋଦେଇ କରୁଛନ୍ତି ।

ଏତଦ୍ ବ୍ୟତୀତ ଦୁଇଟି ଚାରି ନାହାକାର ଚଉପଟ ଶେଷ ହୋଇ ଆଠ କୋଣୀ ଅଂଶ ନିର୍ମାଣ ସରିଛି । ଏଥିସହ ଚଉଦ ନାହାକା ନିର୍ମାଣ ପାଇଁ ୪ଟି ନାହାକାର ଚଉପଟ କାର୍ଯ୍ୟ ଆରମ୍ଭ ହେଉଛି । ନନ୍ଦିଘୋଷ ରଥର ୧୬ଟି ଚକରୁ ୧୫ଟି ନିର୍ମାଣ ସରିଛି । ପୋଟଳ ଖମ୍ବ, ପୋଟଳ ପାରେଣି, ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ରୂପକାର ସେବକମାନେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିଥିବା ୬ଟି ସାଲ ଗୁଜରେ ସିଂହ ବରାଳ ରୂପ ଖୋଦେଇର ପଲିସ୍ କାର୍ଯ୍ୟ ସହ ୪ଟି ତିଖ ଗୁଜରେ ସିଂହ ବରାଳ ରୂପ ଖୋଦେଇ ଜାରି ରଖୁଛନ୍ତି ।












Click it and Unblock the Notifications