ପହଞ୍ଚିଲା ରଥ ଦଉଡ଼ି, ସେପଟେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା
ପୁରୀ: ପୁରୀରେ ପହଞ୍ଚିଲା ରଥ ଦଉଡ଼ି। ମୋଟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆସି ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ ହୋଇ ଆସିଛି ଏହି ଦଉଡ଼ି। ରଥଟଣା ସହ ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ୍ ପାଇଁ ଏହି ଦଉଡ଼ି। ୨୬ଟି ଦଉଡିରୁ ୧୪ଟି ରଥ ଟଣା ପାଇଁ ଦଉଡି ରହିଅଛି। ସେହିପରି ୩ଟି କର୍ଡନ ଦଉଡି ସମେତ ଘେର ଦଉଡି ପ୍ରଦାନ କରାଯାଇଛି।
ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଦଉଡିର ନାମ ହେଉଛି ବାସୁକି। ୨୫୦ଫୁଟ ଲମ୍ବ ଓ ୮ଇଞ୍ଚ ମୋଟେଇ । ସେହିଭଳି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦଉଡିର ନାମ ହେଉଛି ସ୍ୱର୍ଣ୍ଣଚୁଡ। ତାହାର ଲମ୍ବ ୨୫୦ଫୁଟ ରହିଥିବା ବେଳେ ମୋଟେଇ ୮ଇଞ୍ଚ ରହିଛି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦଉଡିର ନାମ ହେଉଛି ଶଙ୍ଖଚୁଡ। ଦଉଡିର ଲମ୍ବ ହେଉଛି ୨୫୦ଫୁଟ ଓ ମୋଟେଇ ୮ଇଞ୍ଚ।

ସେପଟେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା। ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ।ରଥଖଳାରେ ତିନିରଥର ୬ ଟି ଲେଖାଁଏ ପୋଟଳ ନିର୍ମାଣ କାର୍ଯ୍ୟ ସହ ପ୍ରଥମ ଭୂଇଁ ରେ କନକ ମୁଣ୍ଡି ବସିବା ପାଇଁ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏହା ବ୍ୟତୀତ ତିନି ରଥର ପାର୍ଶ୍ୱ ଦେବ ଦେବୀଙ୍କ ରଙ୍ଗ କାର୍ଯ୍ୟ ଆଗେଇ ଚାଲିଥିବା ସହ ତିନିରଥ ଗୁଡ଼ିକର ଚକ, ଗୁଜ, ଦଣ୍ଡା ଇତ୍ୟାଦିରେ ଧଳା ରଙ୍ଗ ଦେବା ଆରମ୍ଭ ହୋଇଛି ।
ଆସନ୍ତା ୨୦ ତାରିଖରେ ପାଳିତ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହେଲେ ଏହା ପୂର୍ବରୁ ଜୁନ ୪ ତାରିଖରେ ଶ୍ରକ୍ଷେତ୍ରରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହା ପରେ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଉପଚାର । ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ । ବଇଦଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ । ଚାଲିଛି ଗୋପନ ନୀତି ।












Click it and Unblock the Notifications