ଶରଧାବାଲିରେ ଶ୍ରୀବିଗ୍ରହଙ୍କ ଭବ୍ୟ ମଣ୍ଡିତ ଦିବ୍ୟ ନଭଶ୍ଚୁମ୍ଵୀ ତିନି ରଥ
ନବଦିନାତ୍ମକ ଯାତ୍ରାରେ ମାଉସୀ ମାଆ ମନ୍ଦିରକୁ ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ଗୋଟି ପହଣ୍ଡିରେ ମାଉସୀ ମା ଘରେ ପ୍ରବେଶ କରିବା ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି।
ପୁରୀ: ନବଦିନାତ୍ମକ ଯାତ୍ରାରେ ମାଉସୀ ମାଆ ମନ୍ଦିରକୁ ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ଗୋଟି ପହଣ୍ଡିରେ ମାଉସୀ ମା ଘରେ ପ୍ରବେଶ କରିବା ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି। ଆଉ ଏପଟେ ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲିରେ ଶ୍ରୀବିଗ୍ରହଙ୍କ ଭବ୍ୟ ମଣ୍ଡିତ ଦିବ୍ୟ ନଭଶ୍ଚୁମ୍ଵୀ ତିନି ରଥ ଶୋଭା ବଢାଉଛି ।

ସେପଟେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡ଼ପ ଅବଢ଼ା। ସକାଳ ଧୂପ ପରେ ମହାପ୍ରଭୁଙ୍କୁ ଖେଚୁଡ଼ି, ଡାଲମା, ଶାଗ ଓ ଭଜା ଲାଗି ହେଲା। ଶ୍ରୀଜିଉଙ୍କ ଦର୍ଶନ କରିପାରୁ ନଥିବା ଶ୍ରଦ୍ଧାଳୁ ଏବେ ଆଡପ ଅବଢା ପାଇବେ। ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ହେଉଛି। ଯାହା ସବୁ ଶ୍ରୀମନ୍ଦିରରେ ହୋଇଥାଏ। ଆଜିଠୁ ସାତ ଦିନ ଯାଏ ସମସ୍ତ ନୀତି ଗୁଣ୍ଡିଚା ମନ୍ଦିରରେ ହେବ।
ସେପଟେ, ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।
ଗତକାଲି ରଥ ଉପରେ ହିଁ ଅବକାଶ, ମଇଲମ, ତଡ଼ପଲାଗି ସହ ମହାପ୍ରଭୁଙ୍କ ସମସ୍ତ ନୀତି ହୋଇଥିଲା। ପରେ ତିନି ରଥରେ ଚାରମାଳ ଲାଗି ହୋଇଥିଲା। ପରେ ପରେ ମଙ୍ଗଳାର୍ପଣ ସହ ବାଟ ପହଣ୍ଡି ହେବା ପରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଆଡ଼ପମଣ୍ଡପରେ ସୁଦର୍ଶନ ବିଜେ ହେବା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଏହା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହୋଇଥିଲା। ଆଉ ସବା ଶେଷରେ ଶ୍ରୀଜଗନ୍ନାତଙ୍କ ପହଣ୍ଡି ହୋଇଥିଲା।












Click it and Unblock the Notifications