Rath Yatra: ତିନି ରଥରେ ଛେରା ପହଁରା କଲେ ଗଜପତି ମହାରାଜା
ପୁରୀ ଗଜପତି ମହାରାଜା ସ୍ନାନବେଦୀରେ ଓ ଚାପଉପରେ ଛେରା ପହଁରା ସେବା କରନ୍ତି । ସେହି ସ୍ଥାନକୁ ସୁନା ପହଁରାରେ ଓଳେଇ ସଫା କରିଥାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଛି ।
ବିଭିନ୍ନ ପ୍ରାଚୀନ ଗ୍ରନ୍ଥ, କାବ୍ୟ ଇତ୍ୟାଦିରେ ଛେରା ପହଁରା ନୀତି ଯେଉଁ ଭାବରେ ବର୍ଣ୍ଣିତ ହୋଇଛି, ତାହା ଦୀର୍ଘ ଏକ ଶହ ବର୍ଷ ମଧ୍ୟରେ ସେପରି ଭାବରେ ଅନୁଷ୍ଠିତ ହେଉନଥିବା ଜଣାଯାଏ । କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ୍ଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ (ସାନ୍ତରା) କୁଞ୍ଜ ମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ ୧୪୫୬ ଶକାବ୍ଦରେ ଶ୍ରୀଚୈତନ୍ୟ ଚକଡା଼ ପୋଥି ରଚନା ଶେଷ କରି ତାହା ପ୍ରତାପରୁଦ୍ର ଦେବଙ୍କୁ ଅର୍ପଣ କରିଥିଲେ।

ପ୍ରତାପରୁଦ୍ର ନୃପଣି ମାର୍ଜନୀ ଧରିଣ
ଛତା ତଳୁ ପହଁରିଲେ ପଥ ନୃପରାଣ
ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି
ଯେ ନୋହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ
ଧନ୍ୟ ରାଜା ମାର୍ଜନୀର କରେ ସେବା କରେ
ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ।
ଏଠାରେ ବର୍ଣ୍ଣିତ ହୋଇଥିବା ଛତାତଳ ଅର୍ଥ ସିଂହଦ୍ୱାରଠାରେ ଅବସ୍ଥିତ ବଡ଼ଛତା ମଠଠାରୁ ରଥ ପର୍ଯ୍ୟନ୍ତ । ଏପରିକି ଚୈତନ୍ୟଙ୍କ ତିରୋଧାନର ୮୦ବର୍ଷ ପରେ କୃଷ୍ଣ ଦାସ କବିରାଜ ଗୋସ୍ୱମୀଙ୍କ ପ୍ରଣୀତ ଶ୍ରୀଚୈତନ୍ୟ ଚରିତାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ଉଲ୍ଲେଖ ଅଛି ଯେ,
ତବେ ପ୍ରତାପରୁଦ୍ର କରେ ଆପନ ସେବନ
ସୁବର୍ଣ୍ଣ ମାର୍ଜନୀ ଲେୟା କରେ ପଥ ସମ୍ମାର୍ଜନ
ଚନ୍ଦନ ଜଳେତେ କରେନ ପଥ ନିଷିଞ୍ଚବେ
ତୁଚ୍ଛ ସେବା କରେ ବୈସେ ରାଜ ସିଂହାସନେ
ଉତ୍ତମ ହେୟା ରାଜା କରେ ତୁଚ୍ଛ ସେବନ ।
ପଥ କହିଲେ ରାସ୍ତାକୁ ବୁଝାଯାଉଅଛି। ସୁତରାଂ ସେହି ସମୟରେ ଠାକୁରମାନେ ପହଣ୍ଡି ହୋଇ ଆସୁଥିବା ରାସ୍ତାକୁ ସୁବର୍ଣ୍ଣ ମାର୍ଜନୀରେ ଗଜପତିମାନେ ସଫାକରି ଭକ୍ତିଭାବର ପରିଚୟ ଦେଉଥିଲେ । ଇଂରେଜ ପ୍ରଶାସକ ଜନ ବିମସ (୧୮୬୯-୧୮୭୭)ଙ୍କଦ୍ୱାରା ରଚିତ Memories of a Bengal Civilian ପୁସ୍ତକର ୩୨୩ ପୃଷ୍ଠାର ଶେଷଭାଗରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଜଗନ୍ନାଥ ରଥରେ ବସିଯିବାର ବଡ଼ ଉତ୍ସବ ଦିନ ରାଜା ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି । ଏଥିରୁ ଅନୁମିତ ହୁଏ ଯେ, ଗଜପତି ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଠାକୁରମାନଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ଆଗରେ ପାହଚ ଓ ରାସ୍ତକୁ ସୁନା ଖଡି଼କାରେ ଓଳାଇବା ବିଧି ବଳବତ୍ତର ଥିଲା । ମାତ୍ର ତାଙ୍କ ରୁଗ୍ଣ ପୁତ୍ର ରାଜା ମୁକୁନ୍ଦ ଦେବଙ୍କ ସମୟରେ ରଥ ଉପରର ଚତୁଃପାର୍ଶ୍ୱ ଛେରା ପହଁରାର ନୂତନ ବିଧି ବିଧାନ ହୋଇଥିଲା ଏବଂ ଏହି ପ୍ରଥା ଅଦ୍ୟାବଧି ଅନୁସୃତ ହୋଇ ଆସୁଅଛି
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications