Rath Yatra 2025: କାହିଁକି ରଥର ନାଁ 'ଦର୍ପ ଦଳନ?
Rath Yatra 2025: ପୁଣ୍ୟ କାବ୍ୟ ରାମାୟଣର କଥା । ଲଙ୍କାରେ ରାବଣ ପୁତ୍ର ଇନ୍ଦ୍ରଜିତ ସହ ଶ୍ରୀରାମଙ୍କ ମହା ସଂଗ୍ରାମ ଲାଗି ଯାଇ ଥାଏ ।ଯେତେ ଚେଷ୍ଠା କଲେ ମଧ୍ୟ ମାୟାବୀ ଇନ୍ଦ୍ରଜିତକୁ ବଧ କରିବା ଶ୍ରୀରାମଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନଥାଏ । ପ୍ରଭୁ ଚିନ୍ତିତ ହୋଇ ବିଭୀଷଣଙ୍କୁ ଇନ୍ଦ୍ରଜିତ ବଧ ନହୋଇ ପାରିବା କାରଣ ପଚାରିଲାରୁ, ବିଭୀଷଣ କହିଲେ, "ଆପଣ ବାନର ସେନାଙ୍କ ସହ ଅତି ଶୀଘ୍ର ଲକ୍ଷ୍ମଣଙ୍କୁ ନିକୁମ୍ଭିଲା ପଠାନ୍ତୁ । ନିକୁମ୍ଭିଲା ଦେବୀଙ୍କୁ ପୂଜା କରି ସେଠାରେ ଇନ୍ଦ୍ରଜିତ ନିକୁମ୍ଭିଲା ଯଜ୍ଞ କରୁଛି । ସେହି ଯଜ୍ଞ ସମାପ୍ତ ହୋଇଗଲେ ସେ ଅପରାଜେୟ ହୋଇଯିବ।
ବ୍ରହ୍ମା ତାଙ୍କୁ ସେହି ବର ଦେଇଛନ୍ତି। ଇନ୍ଦ୍ରଜିତର ମୃତ୍ୟୁରେ ରାବଣର ଅର୍ଦ୍ଧେକ ବଳ ଚାଲିଯିବ, ଏଣୁ ଅବିଳମ୍ବେ ଆପଣ ଲକ୍ଷ୍ମଣଙ୍କୁ ପଠାଇ ତା ଯଜ୍ଞ ଭଗ୍ନ କରନ୍ତୁ"। ଶ୍ରୀରାମ ଇନ୍ଦ୍ରଜିତ ବଧ ନହେବା କାରଣ ବୁଝି ଗଲେ ।ସେ ଲକ୍ଷ୍ମଣଙ୍କୁ ନିର୍ଦ୍ଧେଶ ଦେଲେ, ଅତି ଶୀଘ୍ର ତୁମେ ନିକୁମ୍ଭିଲା ଦେବୀଙ୍କ ପାଖକୁ ଯାତ୍ରା କର ।ପାତାଳ ପୁରୀରେ ଥିବା ସେହି ସ୍ଥାନକୁ ମାର୍ଗ ନିର୍ଦ୍ଦେଶ କଲେ ବିଭୀଷଣ ।ଲକ୍ଷ୍ମଣଙ୍କ ସହ ହନୁମାନ ମଧ୍ୟ ଚାଲିଲେ, ପାତାଳ ପୁରୀକୁ।

ଲକ୍ଷ୍ମଣ ଧରିଥାନ୍ତି, ତାଙ୍କ ବିଶେଷ କବଚ ଓ ଧନୁର୍ବାଣ । ପାତାଳରେ ପହଞ୍ଚି ସେମାନେ ଦେଖିଲେ, ଯଜ୍ଞ ସ୍ଥଳୀକୁ ଭୟଙ୍କର ରାକ୍ଷସ ମାନେ କଡ଼ା ପହରା ଦେଉଛନ୍ତି ।ରାକ୍ଷସ ମାନଙ୍କ ବ୍ୟୁହକୁ ଅତିକ୍ରମ କରିବା ଅତୀବ କଷ୍ଟ। ସମସ୍ତେ ଚିନ୍ତାରେ ବସି ପଡ଼ିଲେ । ଏହି ସମୟରେ ବିଭୀଷଣ ଲକ୍ଷ୍ମଣଙ୍କୁ କହିଲେ, ଯଜ୍ଞ ଶେଷ ହେବା ପୂର୍ବରୁ ଇନ୍ଦ୍ରଜିତକୁ ଯେପରି ହେଉ ବଧ କରିବାକୁ ପଡ଼ିବ । ଲକ୍ଷ୍ମଣଙ୍କ ଇଙ୍ଗିତରେ ବାନର ଓ ଭଲ୍ଲୁକ ସେନା ମାନେ ଇନ୍ଦ୍ରଜିତ ଉପରେ ଅଚାନକ ଚଢ଼ଉ ଆରମ୍ଭ କରିଦେଲେ ।ତାଙ୍କ ଆକ୍ରମଣରେ ଇନ୍ଦ୍ରଜିତ ଯଜ୍ଞ ଛାଡ଼ି ରଥଚଢ଼ି ଯୁଦ୍ଧପାଇଁ ପ୍ରସ୍ତୁତ ହୋଇ ଗଲା ।
ଦେଖା ଗଲା ସେହି ଯଜ୍ଞଭୂମି ଉପରେ ଏକ ବିରାଟ ବଟଦ୍ରୁମ ଯାହା ଅଗ୍ନିଶିଖା ଲାଗି କଳାପଡ଼ି ଯାଇଛି। ସେହି ବଟ ଦ୍ରୁମ ତଳେ ଇନ୍ଦ୍ରଜିତ ବଳି ଚଢ଼ାଉଥିଲା ଏବଂ ସେଠାରୁ ଯାଇ ଅଦୃଶ୍ୟ ହୋଇ ଯୁଦ୍ଧ କରେ । ସେହି ବଟର ନାମ ଥିଲା ନିକୁମ୍ଭିଲା ବଟ । ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ସଙ୍ଗେ ବିଭୀଷଣଙ୍କୁ ଦେଖି ଖୁବ୍ ରାଗି ଯାଇ ତାଙ୍କୁ ଭର୍ଚ୍ଛନା କରିବାକୁ ଲାଗିଲା । ଏହି ସମୟରେ ବାନର ଭଲ୍ଲୁକ ମାନେ ତା' ଯଜ୍ଞକୁ ଧ୍ଵଂସ କରି ଦେଲେ । ଇନ୍ଦ୍ରଜିତ ଏହି ସମୟରେ ଯଜ୍ଞଚ୍ୟୁତ ହୋଇ ଥିବାରୁ ସେ ସେ ମଧ୍ୟ ନିହତ ହେଲା । ଇନ୍ଦ୍ରଜିତ ପୂଜିତ ପାତାଳ ପୁରୀରେ ସେହି ନିକୁମ୍ଭିଲା ଦେବୀଙ୍କୁ, ଶ୍ରୀରାମ ରାବଣ ବଧ ଏବଂ ଲଙ୍କାବିଜୟ କଲାପରେ ସାଥିରେ ଅଯୋଧ୍ୟା ଘେନିଗଲେ ।
ନିକୁମ୍ଭିଲା ଦେବୀ ବର୍ତ୍ତମାନ ରଟନ୍ତି କାଳୀ ରୂପେ ମାଘ ମାସ ରଟନ୍ତି ଚତୁର୍ଦ୍ଦଶୀରେ ପୂଜା ହୋଇଥାନ୍ତି । ଇନ୍ଦ୍ରଜିତ ଯେଉଁ ରଥରେ ଚଢ଼ି ଯୁଦ୍ଧ କରୁଥିଲା ତାହା ଦିନେ ଦେବତାଙ୍କ ଗର୍ବ ଖର୍ବ କରିଥିଲା । ସେ ସେହି ରଥ ଆରୋହି ଦିନେ ବଜ୍ରଧର ଦେବରାଜ ଇନ୍ଦ୍ରଙ୍କୁ ପରାଜିତ କରି ଇନ୍ଦ୍ରଜିତ ନାମରେ ପରିଚିତ ହୋଇଥିଲା । ଦେବତାଙ୍କ ଦର୍ପ ଦଳନ କରି ଥିବାରୁ ଏହି ରଥକୁ ଦେବ ଦଳନ ବା ଦର୍ପ ଦଳନ ରଥ ବୋଲି କୁହାଯାଏ ।
ମାଆ ସୁଭଦ୍ରାଙ୍କ ଦେବଦଳନ ବା ଦର୍ପଦଳନ ରଥ ସେହି ଇନ୍ଦ୍ରଜୟୀ ଇନ୍ଦ୍ରଜିତଙ୍କ ରଥ ବୋଲି ଉତ୍କଳ ବାଲ୍ମୀକି ଶ୍ରୀବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ବର୍ଣ୍ଣନା ରହିଛି । ସେହି ଦର୍ପ ଦଳନ ରଥକୁ ଇନ୍ଦ୍ରଜିତ, ନିକୁମ୍ଭିଲା ଯଜ୍ଞରେ ନିକୁମ୍ଭିଲାଙ୍କ ମାତାଙ୍କ ଠାରୁ ପ୍ରାପ୍ତ କରିଥିଲା । ଶ୍ରୀକ୍ଷେତ୍ର ରଥ ଯାତ୍ରା ସମୟରେ ମହାମାୟା ମାଆ ସୁଭଦ୍ରା ସେହି ଦେବ ଦଳନ ରଥ ଆରୋହଣ କରି ଘର୍ଘର ଘୋଷରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି ।ସମସ୍ତ ଅନିଷ୍ଟକାରୀ ଶକ୍ତିକୁ ଧ୍ଵଂସ କରିଦେବାକୁ ଏହି ରଥ ସମର୍ଥ ତେଣୁ, ଏହାର ଅନ୍ୟ ନାମ, ଦର୍ପ ଦଳନ ।
ପଦ୍ମଚିହ୍ନ ଅଙ୍କିତ ଧ୍ଵଜା ଯୋଗୁଁ ସୁଭଦ୍ରାଙ୍କ ରଥର ଅନ୍ୟ ନାମ ପଦ୍ମଧ୍ଵଜ। ଦ୍ୱାପର ଯୁଗରେ ଅର୍ଜୁନଙ୍କ ସୁଭଦ୍ରା ହରଣ ସମୟରେ ମା' ସୁଭଦ୍ରା ନିଜେ ରଥ ଚଳାଇ ଅର୍ଜ୍ଜୁନଙ୍କୁ ଯାଦବଙ୍କ ଠାରୁ ରକ୍ଷା କରିଥିଲେ ବୋଲି କୃତଜ୍ଞତା ସ୍ୱରୂପେ ବୀର ଅର୍ଜୁନ, ଦେବଦଳନ ରଥର ସାରଥୀ ହୋଇ ଥାନ୍ତି । ଭଉଣୀ ତଥା ସମସ୍ତ ମାତୃଜାତିର ରକ୍ଷାକାରୀ ରୂପେ ଚକ୍ରରାଜ ସୁଦର୍ଶନ ଦେବ ଦଳନ ବା ଦର୍ପ ଦଳନ ରଥରେ ବିଜେ ହୋଇଥାନ୍ତି ।












Click it and Unblock the Notifications