Rath Yatra 2025: ଆଡ଼ପ ଦର୍ଶନ ମାହାତ୍ମ୍ୟ କଣ ?
ଆଡ଼ପ ମଣ୍ଡପରେ ଦର୍ଶନ କଲେ ଶ୍ରୀମନ୍ଦିରରେ 10 ବର୍ଷ ଦର୍ଶନର ସମାନ ଫଳ ମିଳିଥାଏ । ଶ୍ରୀକ୍ଷେତ୍ରରେ ରହିଛି ଏଭଳି ଏକ ପୁଣ୍ୟ ସ୍ଥାନ ରହିଛି । ଅନେକ ଭକ୍ତ ଏହା ହୁଏତ ଜାଣି ନଥିବେ ହେଲେ ଧର୍ମ ଶାସ୍ତ୍ରରେ ଏହା ଉଲ୍ଲେଖ ରହିଛି । କେବଳ ସେତିକି ନୁହେଁ ସେହି ପବିତ୍ର ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶ୍ଵମେଧ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ।
ଏହି ପବିତ୍ର ସ୍ଥାନଟି ଶ୍ରୀମନ୍ଦିରରୁ ମାତ୍ର 2 କିଲୋମିଟର ଦୂରତାରେ ରହିଛି। ଉକ୍ତ ସ୍ଥାନଟି ହେଉଛି ଆଡ଼ପ ମଣ୍ଡପ। ଯାହାକି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ରହିଛି। ପ୍ରତିବର୍ଷ ରଥଯାତ୍ରାରେ ଶ୍ରୀଜୀଉ ନିଜ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରି ଉକ୍ତ ସ୍ଥାନରେ ଏକ ସପ୍ତାହ ଅବସ୍ଥାନ କରନ୍ତି ।

ରାତିରେ ଆଡପ ମଣ୍ଡପରେ ଦର୍ଶନ କଲେ 10 ଗୁଣ ପୂଣ୍ୟ
ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହ ଯେଉଁଠି ବିରାଜମାନ କରିଥାନ୍ତି ତାହାକୁ ଧର୍ମ ଶାସ୍ତ୍ରରେ ଆଡ଼ପ ମଣ୍ଡପ କୁହାଯାଇଛି। ଧର୍ମ ଶାସ୍ତ୍ରରେ ଉଲ୍ଲେଖ ରହିଛି ଶ୍ରୀମନ୍ଦିରରେ ଦଶ ବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେତିକି ଫଳ ମିଳିଥାଏ। ବିଶେଷ କରି ଦିନ ଅପେକ୍ଷା ରାତିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ତାର ୧୦ ଗୁଣା ଅଧିକ ପୁଣ୍ୟ ମିଳିଥାଏ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ। ଏଥି ପାଇଁ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତଙ୍କ ଆଗମନ ହେଇଥାଏ। ସ୍କନ୍ଦ ପୁରାଣରେ ଶ୍ରୀଗୁଣ୍ଡିଚା ମନ୍ଦିରର ମାହାତ୍ମ୍ୟ ବିଷୟରେ ବର୍ଣ୍ଣନା ରହିଛି। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ଵୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ରହିଥିବା କୁହାଯାଇଛି। ଆଡ଼ପ ମଣ୍ଡପ ତଥା ମହାବେଦୀ ମହାପ୍ରଭୁଙ୍କ ପୃଥିବୀରେ ସବୁଠୁ ପ୍ରିତିପଦ ସ୍ଥାନ ବୋଲି ସ୍କନ୍ଦ ପୁରାଣ ରେ ଉଲ୍ଲେଖ ରହିଛି।
ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ଯେ ''ମହାପ୍ରଭୁ ରାଜାଙ୍କୁ କୁହନ୍ତି, ଆମ୍ଭକୁ ରଥାରୂଢ଼ ପୂର୍ବକ ମହୋତ୍ସବ କରାଇ ମୋର ଜନ୍ମସ୍ଥାନ ତଥା ଆଡ଼ପ ମଣ୍ଡପକୁ ନେବ। ସେଠାରେ ତୁମେ ସହସ୍ର ଅଶ୍ଵମେଧ ଯଜ୍ଞ କରିଛ। ତେଣୁ ସେ ସ୍ଥାନ ସାରା ପୃଥିବୀରେ ମୋ ପାଇଁ ପ୍ରିତିକର ସ୍ଥାନ। ମୁଁ ସେଠାରେ ଅବସ୍ଥାନ କରୁଥିବା ସମୟରେ ଯେଉଁ ମାନବ ମତେ ଦର୍ଶନ କରିବେ ସେମାନେ ବୈକୁଣ୍ଠ ଧାମ ପ୍ରାପ୍ତି କରିବେ। ନବମ ଦିବସ ଦକ୍ଷିଣାଭିମୁଖୀ ଯାତ୍ରା କାଳରେ ଯେଉଁ ମାନେ ମତେ ଦର୍ଶନ କରିବେ ସେମାନେ ତାଙ୍କ ଜୀବନରେ ଅଶ୍ଵମେଧ ଯଜ୍ଞର ଫଳଭାଗୀ ହେବେ''।
ଆଡ଼ପ ମଣ୍ଡପରେ ହୋଇଥିଲା ଅଶ୍ବମେଧ ଯଜ୍ଞ
ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ଵମେଧ ଯଜ୍ଞ ଏହି ଆଡ଼ପ ମଣ୍ଡପ ତଥା ମହାବେଦୀ ଉପରେ କରିଥିଲେ। ଚତୁର୍ଦ୍ଧା ମୂର୍ତ୍ତି ଏହି ଠାରେ ଆବିର୍ଭାବ ହୋଇଥିଲେ। ପାଣ୍ଡବ ମାନେ ବନବାସ ସମୟରେ ଏହି ଏହି ମହାବେଦୀ ଦର୍ଶନ କରିଥିଲେ। ସ୍ଵୟଂ ବ୍ରହ୍ମା ଆଡ଼ପ ମଣ୍ଡପରେ ନିଜେ ଉପସ୍ଥିତ ରହି ଯଜ୍ଞ କରାଇଥିଲେ। ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ମୂର୍ତ୍ତି ଗଢ଼ିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ରାଣୀ ଗୁଣ୍ଡିଚା ଦେବୀ ଜଣାଇଥିଲେ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ମିଳିଲେ ସେହି ମାନବକୁ ଅଶ୍ଵମେଧ ଯଜ୍ଞର ଫଳ ମିଳିଥାଏ। ଏଣୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଥାଏ। ଶ୍ରୀ ବିଗ୍ରହ ମାନେ ଗୁଣ୍ଡିଚା ମନ୍ଦିରରେ ଥିବା ସମୟରେ ବ୍ରତ ପାଳନ କଲେ ଅନେକ ପୁଣ୍ୟ ମିଳିଥାଏ। ବିଭିନ୍ନ ପୁରାଣ ଶାସ୍ତ୍ର ଅନୁଯାୟୀ, ଗୁଣ୍ଡିଚା ମନ୍ଦିରର ନାମ ଭିନ୍ନ ଭିନ୍ନ ରହିଛି। ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ଶ୍ରୀ ଗୁଣ୍ଡିଚା ମନ୍ଦିର, ରାସ ମଣ୍ଡପ, ଅଟୋପ ମଣ୍ଡପ ।












Click it and Unblock the Notifications