ଆଜି ଖଳିଲାଗି ଏକାଦଶୀ; ସୁସ୍ଥ ହେଉଛନ୍ତି ମହାପ୍ରଭୁ
ଆଜି ଖଳିଲାଗି ଏକାଦଶୀ । ଅନବସରରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଓଷୁଅ ଲେପନ ପରେ ଚକା ଉପରକୁ ଉଠିଛନ୍ତି ମହାପ୍ରଭୁ । ଅନବସରର ଦଶମ ଦିନରେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମୋଦକ ପ୍ରଦାନ କରାଯାଇଛି । ପତିମହାପାତ୍ର ମହାପ୍ରଭୁଙ୍କୁ ଦଶମୂଳ ମୋଦକ ସମର୍ପଣ କରିବା ପରେ ସୁସ୍ଥ ହେବେ ଶ୍ରୀଜିଉ ।
ଏକାଦଶୀରେ ମହାପ୍ରଭୁ ମସ୍ତକରେ ତୁଳସୀ ରଙ୍ଗବେରଙ୍ଗର ଫୁଲ ଓ ବସ୍ତ୍ର ପରିଧାନ କରିବେ । ଏହାସହ ଘଣ୍ଟଘଣ୍ଟା ବାଜି ପୂଜାର୍ଚ୍ଚନା କରାଯିବାର ବିଧିବିଧାନ ରହିଛି । ଏହାପରେ ଦ୍ବାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯିବ । ସେପଟେ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ୩ ରଥର ନିର୍ମାଣ କାମ ।
ସେହିପରି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଅନବସରର ଦଶମ ଦିନ । ଆଜି ଏକାଦଶୀ ତିଥିରେ ସକାଳୁ ସକାଳୁ ଅଲାରନାଥଙ୍କ ପୀଠ ଲୋକାରଣ୍ୟ ହୋଇପଡ଼ିଛି । ଶ୍ରଦ୍ଧାଳୁମାନେ ହାତରେ ଫୁଲ, ତୁଳସୀ ଓ ଭୋଗ ନଡ଼ିଆ ଧରି ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବା ମିଳିଛି । ସୁରକ୍ଷିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।

ପରମ୍ପରା ଅନୁସାରେ ରାତି ୪ରୁ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ ସହ ଆଦି ନୀତି ସମ୍ପନ୍ନ କରାଯାଇଥିଲା । ସକାଳ ୬ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଅଲାରନାଥଙ୍କୁ ନାନାଦି ଫଳ ଲାଗି କରାଯାଇଛି । ଅନବସର ସମୟରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ହୋଇଥାଏ ବୋଲି ଦୃଢ଼ ବିଶ୍ବାସ ରହିଛି । ତେଣୁ ଅନବସର ତିଥିରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡ଼ିଛି ଅଲାରନାଥ ପୀଠ ।












Click it and Unblock the Notifications