Rath Yatra 2025 : ଆଦ୍ୟସେବକ ଗଜପତି ମହାରାଜା କଲେ ଛେରାପହଁରା
ଗଜପତି ମହାରାଜାଙ୍କ ଛେରାପହଁରା। ଆଦ୍ୟସେବକ ଗଜପତି ମହାରାଜା କଲେ ଛେରାପହଁରା । ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିରାଜମାନ ହୋଇଥିବାବେଳେ ପରେ ଦେବୀ ସୁଭଦ୍ରା ବିରାଜମାନ କରିଥିଲେ। ପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ଆସି ତାଳଧ୍ବଜରେ ବିରାଜିଛନ୍ତି। ସେହିପରି ନନ୍ଦିଘୋଷରେ ବସିଛନ୍ତି ମହାବାହୁ କାଳିଆ ସାଆନ୍ତ। ଏହି ଅପରୂପ ଦୃଶ୍ୟ ଦେଖିବା ପାଇଁ ଶରଧାବାଲିରେ ପ୍ରବଳ ଭକ୍ତଙ୍କ ଗହଳି ଲାଗିଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇଛି।

ସେହିପରି ଗୋପାଳବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ଟା ୪୫, ସେନାପଟାଲାଗି ୭ଟାରୁ ହୋଇ ପହଣ୍ଡି ଆରମ୍ଭ ହୋଇଥିଲା। ମଙ୍ଗଳାର୍ପଣ ୧୧ଟା ୪୫ହୋଇଥିଲା। ପରେ ଡୋରଲାଗି ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି ବୋଲି ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ୍ କରିଡର ହେବ। ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।












Click it and Unblock the Notifications