Get Updates
Get notified of breaking news, exclusive insights, and must-see stories!

ଗୁଣ୍ଡିଚାଘରେ ତିନି ରଥ: ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ମଣ୍ଡପ ବିଜେ

ଜନ୍ମବେଦି ସମ୍ମୁଖରେ ଉଭା ହୋଇଛନ୍ତି ଚତୁର୍ଦ୍ଧା ବିଗ୍ରହ । ଗତକାଲି ଚକେ ଗଡ଼ି ଅଟକି ଯାଇଥିବା ଦାରୁବ୍ରହ୍ମ, ଆଜି ଘରଘର ନାଦ କରି ସଅଳ ଛୁଟିଆସିଥିଲେ ଗୁଣ୍ଡିଚା ବାଡ଼ି । କିଏ କହୁଥିଲା ଭାବଗ୍ରାହୀଙ୍କ ଇଚ୍ଛାରେ ସବୁ ହେଉଛି ତ, ପୁଣି କିଏ କହୁଥିଲା ରଥଚଳା ଦେଖି ପାରିନଥିବା କୌଣସି ଭକ୍ତ ପାଇଁ ମହାପ୍ରଭୁ ଅଟକି ଯାଇଛନ୍ତି।

ରଥ ଗଡ଼ିବା ପରେ ଆଉ ଅଝଟ ହୋଇନଥିଲେ କି ଅଭିମାନ କରିନଥିଲେ କଳା ବାମନ। ସମସ୍ତ ନୀତିକାନ୍ତି ସୁସମ୍ପାଦିତ ହୋଇଥିଲା। ନିର୍ଦ୍ଧାରିତ ସମୟ ସକାଳ ସାଢ଼େ ୯ଟାରେ ରଥଟଣା ଆରମ୍ଭ ହୋଇଥିଲା। ୩ ଘଣ୍ଟା ୩୫ ମିନିଟ୍‌ ମଧ୍ୟରେ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଜେ ହୋଇ ଯାଇଥିଲେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦେଖିବା ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

Chaturdha Vigraha s in Adapa Mandap

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ବିନୀତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଶନିବାର ପୂର୍ବାହ୍ନ ସାଢ଼େ ୯ଟାରେ ଆରମ୍ଭ ହୋଇଥିଲା ରଥଟଣା।

୧୨ଟା ପୂର୍ବରୁ ଶ୍ରୀବଳଭଦ୍ର, ସାଢ଼େ ୧୨ଟା ମଧ୍ୟରେ ଦର୍ପଦଳନ ଏବଂ ଦିନ ୧ଟା ୫ରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ଆଜି ମଧ୍ୟ ଗତକାଲି ଭଳି ଅନୁକୂଳ ପାଗ ରହିଥିଲା। ଦିନତମାମ ଛାଇଛାଇଆ ପାଗ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅପୂର୍ବ ସୁଯୋଗ ଆଣିଦେଇଥିଲା। ରଥ ଅଟକିବା ପରେ ବର୍ଷାର ତୀବ୍ରତା ବଢ଼ିଥିଲା। ବର୍ଷାରେ ଭକ୍ତମାନେ ଓଦା ଜୁଡ଼ୁବୁଡ଼ୁ ହୋଇଯାଇଥିଲେ, କିନ୍ତୁ ଜଗା ପ୍ରେମ ସମସ୍ତଙ୍କୁ ବାଇୟା କରିଥିଲା। ମହାବାହୁଙ୍କୁ ଦର୍ଶନ କରିବାର ଉତ୍କଣ୍ଠା ଥମିନଥିଲା। କିଛି ସମୟ ପରେ ବର୍ଷା ଛାଡ଼ିଯିବାରୁ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ଲଭିବା ପାଇଁ ପୁରୀ ବାସିନ୍ଦାଙ୍କ ସୁଅ ଛୁଟିଥିଲା।

ଶୁକ୍ରବାର ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ରଥଟଣା ଠିକ୍‌ ସମୟରେ ଆରମ୍ଭ ହୋଇଥିଲା। କିନ୍ତୁ ଶ୍ରୀବଳଭଦ୍ରଙ୍କ ରଥ ସିଂହଦ୍ବାରରୁ କେଇ ହାତ ଘୁଞ୍ଚାଇବା ବେଳେ ଭକ୍ତ ଓ ପ୍ରଶାସକ ନାକେଦମ୍‌ ହୋଇଥିଲେ। ରଥ-ରଥ ମଧ୍ୟରେ ଦୂରତା ଅଧିକ ଯୋଗୁଁ ଆରମ୍ଭରୁ ରଥ ମୋଡ଼ ନେଇଥିଲା। ଫାଳି ଲଗାଇ ରଥକୁ ଯଥାସ୍ଥାନକୁ ଆଣିବା ପାଇଁ ବହୁ ସମୟ ଲାଗିଯାଇଥିଲା। ତାଳଧ୍ବଜ ରଥ ଅଟକିବାରୁ ଦର୍ପଦଳନ ଓ ନନ୍ଦିଘୋଷ ରଥ ମଧ୍ୟ ଅଟକି ରହିଥିଲେ। ୭ଟା ୪୫ ପର୍ଯ୍ୟନ୍ତ ରଥ ଗଡ଼ିଥିଲା। ବିଧି ରକ୍ଷା ପାଇଁ ନନ୍ଦିଘୋଷ ରଥ ମାତ୍ର କେଇ ହାତ ଗଡ଼ିଥିଲା।

ଗତକାଲି ରଥ ଉପରେ ରାତି ଗୋଟାଏରେ ମଇଲମ, ୨ଟା ୨୦ରେ ମହାସ୍ନାନ ହୋଇଥିଲା। ସାଢ଼େ ୨ଟାରେ ତିନି ରଥ ସର୍ବାଙ୍ଗ, ବେଶ, ଘଣ୍ଟଛତା ମଧ୍ୟାହ୍ନ ଧୂପ ହୋଇଥିଲା। ରାତ୍ରି ପହୁଡ଼ ହୋଇ ନ ଥିଲା। ଆଜି ସକାଳ ୭ଟା ୧୦ରୁ ୮ଟା ୪୫ ମଧ୍ୟରେ ତିନି ରଥରେ ମଙ୍ଗଳ ଆଳତି ହୋଇଥିଲା। ୭ଟା ୨୦ରୁ ୮ଟା ୫୦ ମଧ୍ୟରେ ମଇଲମ, ୭ଟା ୨୫ରୁ ୮ଟା ୫୫ ମଧ୍ୟରେ ତଡ଼ପ ଲାଗି, ୭ଟା ୩୫ରୁ ୯ଟା ୧୫ ମଧ୍ୟରେ ଅବକାଶ ପୂଜା ହୋଇଥିଲା। ସକାଳ ୮ଟାରୁ ୯ଟା ୨୫ ମଧ୍ୟରେ ତିନି ରଥରେ ବେଶ ହୋଇ ସାଢ଼େ ୯ଟାରେ ରଥଟଣା ଆରମ୍ଭ ହୋଇଥିଲା। ଦିନ ଗୋଟାଏ ୫ ମିନିଟ ସୁଦ୍ଧା ଶେଷ ତଥା ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲେ। ରଥ ଉପରେ ଗୋପାଳବଲ୍ଲଭ ଶେଷ ହୋଇ ଅନ୍ୟ ନୀତିକାନ୍ତି ବଢ଼ିଥିଲା।

ଅପରାହ୍ନ ସାଢ଼େ ୪ରୁ ସାଢ଼େ ୫ଟା ମଧ୍ୟରେ ଆଡ଼ପ ପହଣ୍ଡି ବିଧି ମୁତାବକ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରଦିନ ଆଡ଼ପ ବିଜେ ତଥା ଆଡ଼ପ ପହଣ୍ଡି କରାଯାଏ। ରବିବାର ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଆଡ଼ପ ବିଜେ କରିବେ। ଅପରାହ୍ନ ସାଢ଼େ ୩ରୁ ସାଢ଼େ ୪ଟା ମଧ୍ୟରେ ଭୋଇ ସେବକମାନଙ୍କୁ ଘୋଡ଼ା ଓହ୍ଲାଇବା ସହ ଚାରମାଳ ବାନ୍ଧିବା ପାଇଁ ନିର୍ଦ୍ଦେଶ ରହିଛି। ଯଦିଓ ନିର୍ଦ୍ଦିଷ୍ଟ ଭାବେ ପହଣ୍ଡି ସମୟ ବାବଦରେ ସୂଚନା ଦିଆଯାଇନାହିଁ, ତେବେ ନୀତିକାନ୍ତିକୁ ଦୃଷ୍ଟିରେ ରଖି ସବୁକିଛି ଆଗକୁ ବଢ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଏଥିସହ ଆଡ଼ପ ଅବଢ଼ା ପାଇଁ ଅପେକ୍ଷାରତ ଭକ୍ତମାନେ ୩୦ ତାରିଖରେ ଗୁଣ୍ଡିଚା ମନ୍ଦିରରୁ ଆଡ଼ପ ଅବଢ଼ା ପ୍ରାପ୍ତ ହେବେ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+