ଦେବଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ,ଆଜି ମୋଡ ନେବ ନନ୍ଦିଘୋଷ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ମାଆ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାୠଢ ହୋଇ ଶ୍ରୀମନ୍ଦିର ଛାଡି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି ।
ରଥଯାତ୍ରାର ପଞ୍ଚମ ଦିନ ହେରାପଞ୍ଚମୀରେ ଅଭିମାନିନୀ ମାଆ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିର ଆସି ନୀତି ସମ୍ପନ୍ନ କରି ଶ୍ରୀମନ୍ଦିରକୁ ଫେରିଯିବା ପରେ ଘୋଷଯାତ୍ରାର ଷଷ୍ଠ ଦିବସରେ ବାହୁଡା ଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ବାହୁଡ଼ା ଯାତ୍ରା ପାଇଁ ତିନି ରଥର ଦକ୍ଷିଣ ମୋଡ ନେଇ ଶ୍ରୀବିଗ୍ରହମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଛି ।

ଆଜ୍ଞାମାଳ ପ୍ରଦାନ କରାଯିବା ପରେ ବଡ ଠାକୁରଙ୍କ ତାଳଧ୍ୱଜ ରଥ ଉପରକୁ ଘଣ୍ଟ, ଓଲାର (ଛତି) କାହାଳୀ, ବୈଜୟନ୍ତୀ ଏବଂ ବିଶ୍ୱକର୍ମା ମହାରଣା ଉପରକୁ ଚଢିଥିଲେ । ରଥ ଦକ୍ଷିଣ ମୋଡ ପାଇଁ ବିଜେ କାହାଳୀ, ଘଣ୍ଟ ବାଜିଥିଲା । ଏହା ପରେ ଭୋଇ ସେବକମାନେ ମାଆ ସୁଭଦ୍ରାଙ୍କ ରଥରେ ବ୍ରେକ୍ ଓ ଦଉଡି ସଂଯୋଗ କରିଥିଲେ । ପରେ ଘୋଷ ଘଣ୍ଟୁଆଙ୍କ ଘଣ୍ଟ ନାଦରେ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା । ପରମ୍ପରା ଅନୁଯାୟୀ, ପ୍ରଥମେ ମାଆ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀମାନେ ରଥକୁ ଦକ୍ଷିଣ ମୋଡ କରିଥିଲେ । ଦେବୀ ସଭଦ୍ରାଙ୍କ ରଥର ଦକ୍ଷିଣ ମୋଡ ପରେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ ହୋଇଥିଲା । ଦକ୍ଷିଣ ମୋଡ ସମୟରେ ଅନେକ ଭକ୍ତମାନେ ରଥ ଦଉଡି ଧରି ରଥ ଟାଣିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭଙ୍କ ରଥ କୁ ଦକ୍ଷିଣ ମୋଡ କରାଯାଇନଥିଲା। ଗୁରୁବାର ସକାଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ଅନୁଷ୍ଠିତ ହେବ ।












Click it and Unblock the Notifications